Unknown

 

 

 

 

 

 

 

 

 

 

 

ଜୁଲୁ ଓ ହଟେନଟଟ୍‌ସ

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

Image

(ବୀର ଜୁଲୁ)

 

ଜୁଲୁ

 

ଆଫ୍ରିକା ମହାଦେଶରେ ଆଦିମ ଅଧିବାସୀ ହିସାବରେ ଯେତେ ଜାତିର ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରେ ‘ଜୁଲୁ’ ଜାତିର ଲୋକେ ବଡ଼ ବୀର । ଆଫ୍ରିକାର ଦକ୍ଷିଣ-ପୂର୍ବ ଅଞ୍ଚଳରେ ଏହି ଜୁଲୁ ଜାତିର ଲୋକେ ବାସ କରନ୍ତି । ଏମାନଙ୍କ ଦେଶକୁ ‘ଜୁଲୁଲାଣ୍ଡ’ ବା ଜୁଲୁମାନଙ୍କ ଦେଶ କୁହାଯାଏ ।

 

ହିସାବ କରି ଦେଖାଯାଇଛି ଯେ, ଏହି ଜୁଲୁ ଜାତିର ଲୋକସଂଖ୍ୟା ଦୁଇଲକ୍ଷ ତିରିଶହଜାରରୁ ବେଶି ନୁହେଁ । ସେମାନଙ୍କ ଭିତରୁ ପାଞ୍ଚହଜାର ପର୍ଯ୍ୟନ୍ତ ଜୁଲୁଲାଣ୍ଡ ବାହାରେ ପାଖଆଖ ଅଞ୍ଚଳରେ ବାସ କରନ୍ତି । ବାକୀ ସମସ୍ତେ ନିଜ ଦେଶରେ ରହିଅଛନ୍ତି ।

 

ଆଗେ ଏହି ଜୁଲୁ ଜାତିର ଲୋକେ ଆଫ୍ରିକାର ଅନ୍ୟାନ୍ୟ ଜାତିର ଲୋକଙ୍କ ପରି ଦଳଦଳ ହୋଇ ଘୋର ଅରଣ୍ୟ ମଧ୍ୟରେ ରହୁଥିଲେ । ଗୋଟିଏ ସ୍ଥାନରେ କିଛିଦିନ ରହିଲା ପରେ ଘରଦ୍ୱାର ଭାଙ୍ଗି ଅନ୍ୟ ସ୍ଥାନକୁ ଚାଲି ଯାଉଥିଲେ । ଆଜିକାଲି ଇଉରୋପର ଲୋକଙ୍କ ସମ୍ପର୍କରେ ଆସି ଓ ସେମାନଙ୍କ ସହିତ ମିଶି କେତୋଟି ସହର ଓ ବଡ଼ ଗ୍ରାମ ବସାଇ ସ୍ଥାୟୀ ଭାବରେ ଘର କରି ରହିଲେଣି । ତଥାପି ଅନେକ ଲୋକ ପୂର୍ବ ପ୍ରକାରେ ବଣ ମଧ୍ୟରେ ଏଠି ସେଠି ବୁଲୁଅଛନ୍ତି ।

 

ନିଗ୍ରୋ, ବୁସମେନ୍‌, ପିଗ୍‍‌ମି, ହଟେନଟଟ୍‌ସ ପ୍ରଭୃତି ଅନ୍ୟାନ୍ୟ ଜାତିର ଲୋକଙ୍କ ଅପେକ୍ଷା ଜୁଲୁ ଜାତିର ଲୋକେ ବେଶି ବୁଦ୍ଧିଆ ଓ ସଭ୍ୟ । ସେମାନଙ୍କ ଦେହରେ ଯେପରି ବହୁତ ବଳ, ମନରେ ସାହସ ମଧ୍ୟ ଖୁବ୍‌ ବେଶି । ସେହି କାରଣରୁ ସେମାନଙ୍କର ଗର୍ବ ମଧ୍ୟ ଅତି ଅଧିକ । ଆଫ୍ରିକାର ଅନ୍ୟ ଜାତିର ଲୋକଙ୍କୁ ଏମାନେ ସବୁବେଳେ ଘୃଣା କରନ୍ତି । ସେମାନଙ୍କ ସହିତ ମିଳିମିଶି ଚଳିବାକୁ ଜମା ଇଚ୍ଛା କରନ୍ତି ନାହିଁ । ନିଜ ଜାତି ଓ ଦଳର ବଡ଼ିମା ଦେଖାଇହେବା ପାଇଁ ଏମାନେ ସବୁବେଳେ ତତ୍ପର ।

 

ଜୁଲୁ ଲାଣ୍ଡ

 

ଦକ୍ଷିଣ-ଆଫ୍ରିକାର ଜାମ୍ବେଜୀ ନଦୀଠାରୁ ଉତ୍ତମାଶା ଅନ୍ତରୀପ ପର୍ଯ୍ୟନ୍ତ ମଝିରେ ଥିବା ଅଞ୍ଚଳରେ ପ୍ରଧାନତଃ ଏହି ଜୁଲୁ ଜାତିର ଲୋକେ ରହିଅଛନ୍ତି । ଏମାନେ ନିଜକୁ ସବୁବେଳେ ବଡ଼ ଜାତି ବୋଲି ମନେ କରୁଥିବାରୁ ଆଫ୍ରିକାର ଅନ୍ୟ ଜାତିର ଲୋକେ ଏମାନଙ୍କ ନିକଟରେ ଅଛୁଆ । ତେଣୁ ବାହାର ଅଞ୍ଚଳ ଲୋକଙ୍କୁ ନିଜ ଅଞ୍ଚଳ ମଧ୍ୟକୁ ଆସିବାକୁ ସେମାନେ ଦିଅନ୍ତି ନାହିଁ, ନିଜେ ମଧ୍ୟ ବାହାରକୁ ଯାଇ ଅନ୍ୟ ଲୋକଙ୍କ ସହିତ ମିଳିମିଶି ଚଳିବାକୁ ପସନ୍ଦ କରନ୍ତି ନାହିଁ ।

 

ଆଗେ ଜୁଲୁମାନେ ଭିନ୍ନ ଭିନ୍ନ ଦଳ ବାନ୍ଧି ବଣମଧ୍ୟରେ ରହୁଥିଲେ । ସେମାନଙ୍କର ଜଣେ ଲେଖାଏଁ ଦଳପତି ଥିଲେ । ପ୍ରାୟ ଦୁଇଶହ ବର୍ଷ ତଳେ ‘ଚକା’ ନାମରେ ଜଣେ ବୀର ଗୋଟିଏ ଦଳର ଦଳପତି ହେଲେ । ସେ ନିଜ ଦଳର ଲୋକସଂଖ୍ୟା ବଢ଼ାଇ ଅନ୍ୟ ଦଳକୁ ନିଜ ଅଧୀନକୁ ଆଣିଲେ । କ୍ରମେ ସେ ଅଞ୍ଚଳର ଅଧିକାଂଶ ଦଳପତି ଓ ଦଳର ଲୋକେ ତାଙ୍କର ବଶ୍ୟତା ସ୍ୱୀକାର କଲେ । ଚକା ନିଜର ସାହସ ଓ ବୁଦ୍ଧି ବଳରେ ସମସ୍ତ ଜୁଲୁ ଜାତିର ଲୋକଙ୍କୁ ଏକାଠି କଲେ । ସେହି ଦିନୁ ସେମାନଙ୍କର ନିଜର ଗୋଟିଏ ଦେଶ ହେଲା ଓ ସେମାନେ ସ୍ୱତନ୍ତ୍ର ଜାତି ବୋଲି ଗଣ୍ୟ ହେଲେ । ସେହି ଦେଶକୁ ପରେ ଜୁଲୁଲାଣ୍ଡ କୁହାଗଲା ।

 

କ୍ରମେ ଜୁଲୁମାନଙ୍କ ସାହସ ବଢ଼ିଲା । ସେମାନଙ୍କ ଭୟରେ ପାଖ ଅଞ୍ଚଳରେ ରହୁଥିବା ଅନ୍ୟ ଜାତିର ଲୋକେ ଥରହର ହେଲେ ।

 

ପରେ ଇଉରୋପର ଇଂଲଣ୍ଡ, ଫ୍ରାନ୍‌ସ ପ୍ରଭୃତି ଦେଶର ଲୋକେ ଆଫ୍ରିକାକୁ ଗଲେ । ଯେ ଯେଉଁଠି ପାରିଲା, ଖଣ୍ଡେଲେଖାଏଁ ଅଞ୍ଚଳ ନିଜ ଅଧୀନରେ ରଖି ସେଠାରେ ରାଜୁତି କଲା । ଇଂରେଜମାନେ ନେଟାଲ ନାମକ ଅଞ୍ଚଳରେ ଯାଇ ରହିଲେ ।

 

ଜୁଲୁମାନଙ୍କର ଏ ବୀରତ୍ୱ ସେମାନେ ବେଶି ଦିନ ସହି ପାରିଲେ ନାହିଁ । ତେଣୁ ନାନା ଆଳ ଧରି ଯୁଦ୍ଧ ଆରମ୍ଭ କରିଦେଲେ । ଜୁଲୁମାନଙ୍କର ଦେହରେ ବଳ ଓ ମନରେ ସାହସ ଥିଲା; ମାତ୍ର ଧନୁଶର ବ୍ୟତୀତ ସେମାନଙ୍କର ଆଉ କିଛି ଅସ୍ତ୍ରଶସ୍ତ୍ର ନ ଥିଲା । ଇଂରେଜମାନଙ୍କ ହାତରେ ତୋପ ବନ୍ଧୁକ । ସେମାନଙ୍କର କଳ କୌଶଳ ମଧ୍ୟ ବହୁତ ବେଶି ।

 

ସେତେବେଳେ ‘ସିଟିଓ୍ୟାୟୋ’ ଜୁଲୁମାନଙ୍କର ପ୍ରଧାନ ରାଜା ବା ଦଳପତି ।

 

ଇଂରେଜମାନେ ଜୁଲୁମାନଙ୍କୁ ଜବତ କରିବା ଲାଗି ତାଙ୍କ ଦେଶ ଉପରେ ଚଢ଼ାଉ କଲେ-। ବହୁ ଦିନ ଧରି ଯୁଦ୍ଧ ହେଲା । ମାତ୍ର ଶେଷକୁ ଜୁଲୁମାନେ ହାରିଗଲେ । ଇଂରେଜମାନେ ଜୁଲୁଲାଣ୍ଡ ଦଖଲ କରି ନିଜ ଅଞ୍ଚଳ ସହିତ ମିଶାଇଦେଲେ ।

 

ଜୁଲୁମାନେ ପ୍ରକୃତ ବୀର

 

ଜୁଲୁ ଜାତିର ଲୋକଙ୍କ ଦେହର ରଙ୍ଗ ଚିକ୍‌କଣ କଳା । ସେମାନଙ୍କ ହାତଗୋଡ଼ ବଳିଲା ପରି ହୋଇଥାଏ । ପଥର ପରି ତାହା ଟାଣ । କୁନ୍ଦୁଲାଭଳି ମୋଟା ହାତ, ଚଉଡ଼ା ଛାତି ଓ ମୁହଁର ତେଜ ଦେଖି ଯେ କେହି ଲୋକ ଡରିଯିବ ।

 

ସେମାନଙ୍କ ମଧ୍ୟରେ ଗେଡ଼ା ଲୋକ ଖୁବ୍‌ କମ୍‌ । ଡରଭୟ କିଛି ନ ଥାଏ । ମନରେ ଭାରି ସାହସ । ଭୀରୁ ବୋଲି ତାଙ୍କ ଭିତରେ କେହି ନାହାନ୍ତି ।

 

ଜୁଲୁମାନେ ଯେପରି ବୀର, ସେହିପରି ବଡ଼ ନିଷ୍ଠୁର । ଶତ୍ରୁକୁ ସେମାନେ ଅତି କଦର୍ଯ୍ୟ ଭାବରେ ଦଣ୍ଡ ଦେଇଥାନ୍ତି । କାହା ଉପରେ ସମାନ୍ୟ କଥାରେ ରାଗିଗଲେ, ନିଆଁ ଜାଳି ତାକୁ ଜୀଅନ୍ତା ସେଥିରେ ପକାଇ ଦିଅନ୍ତି; ନ ହେଲେ ତା ଗୋଡ଼, ହାତ, ନାକ, କାନ ଗୋଟିଗୋଟି କାଟି ମଉଜ ଦେଖନ୍ତି । ଶତ୍ରୁର କୌଣସି ପ୍ରକାର ଆକୁଳ କ୍ରନ୍ଦନ ତାଙ୍କ ମନରେ ପରିବର୍ତ୍ତନ ଆଣେ ନାହିଁ-

 

ବଣରେ ନିର୍ଭୟ ଚିତ୍ତରେ ଢାଲ ଓ ଧନୁଶର ଧରି ସେମାନେ ବୁଲୁଥାଆନ୍ତି । ବାଘସିଂହଙ୍କ ମଧ୍ୟରେ ରହି, ପିଲାଦିନୁ ବାଘସିଂହଙ୍କ ସହିତ ଲଢ଼େଇ କରିକରି ସେମାନେ ଡରଭୟ ଭୁଲିଯାଇଥାନ୍ତି ।

 

ଯୁଦ୍ଧ କରିବାକୁ ସେମାନେ ସବୁବେଳେ ଆଗଭର । ଦଳପତିଙ୍କ ହୁକୁମ ପାଇବା ସଙ୍ଗେ ସଙ୍ଗେ ଘରଦ୍ୱାର, ପିଲା କବିଲା ଛାଡ଼ି ଯୁଦ୍ଧ କରିବାକୁ ବାହାରି ପଡ଼ନ୍ତି । ନିଜେ ମରିବାକୁ ଯେମିତି ତିଆର, ଶତ୍ରୁକୁ ମାରିବା ପାଇଁ ମଧ୍ୟ ସେମିତି ଆଗୁଆ । ନିଜ ଜୀବନକୁ ଟିକିଏ ମାୟା ନ ଥାଏ କି ଶତ୍ରୁ ପ୍ରତି ତିଳେ ହେଲେ ଦୟା ନ ଥାଏ । ଯୁଦ୍ଧରେ ନ ଜିଣି ଫେରିଆସିବାକୁ ସେମାନେ ବଡ଼ ଘୃଣା କରନ୍ତି । ଯେ ବା କେବେ କିପରି ଯୁଦ୍ଧରୁ ପଳାଇଆସେ, ତାକୁ ଘରେ ସ୍ତ୍ରୀଲୋକମାନେ ପୂରାଇ ଦିଅନ୍ତି ନାହିଁ, ସମାଜରେ ସମସ୍ତେ ଛି ଛା କରନ୍ତି । ତେଣୁ ସେ ବଣଭିତରେ ଏକାକୀ ଲୁଚି ବୁଲେ । ଯଦି ବଣମଧ୍ୟରେ ଅକସ୍ମାତ୍‌ ଧରାପଡ଼େ, ତେବେ ତାକୁ ଦଳପତି ପାଖକୁ ବାନ୍ଧି ଆଣନ୍ତି । ଦଳପତି ଗୋଟିଏ ଦିନ ନିର୍ଦ୍ଦିଷ୍ଟ କରିଦିଏ । ସେଦିନ ସବୁ ଲୋକେ ରୁଣ୍ଡ ହୁଅନ୍ତି । ସମସ୍ତଙ୍କ ଆଗରେ ସେହି ହତଭାଗାର ଦେହକୁ ଟିକିଟିକି କରି କାଟି ଦିଆଯାଏ । ତେଣୁ ଏପରି ଲୁଚିଲୁଚି ଜୀବନ କଟାଇବା କିମ୍ବା ଛଟପଟ ହୋଇ ମରିବା ଅପେକ୍ଷା ଯୁଦ୍ଧରେ ମରିବାକୁ ସେମାନେ ବେଶି ପସନ୍ଦ କରନ୍ତି ।

 

ଯାଉଁଳି ଠେଙ୍ଗା, ଢାଲ ଓ ଧନୁଶର ସେମାନଙ୍କର ପ୍ରଧାନ ଅସ୍ତ୍ର । ଏହାରି ସାହାଯ୍ୟରେ ସେମାନେ ବଣର ବାଘସିଂହ ଶିକାର କରନ୍ତି ଓ ବଡ଼ବଡ଼ ଯୁଦ୍ଧ ବି କରନ୍ତି ।

 

ଯୁଦ୍ଧ କି ଶିକାରକୁ ଯିବାକୁ ପଡ଼ିଲେ, ଆଗ ଦଳମଧ୍ୟରେ ଉତ୍ସବ ଲାଗେ । ଦୁଇ ତିନି ଦିନଯାଏ ସମସ୍ତେ ଏକାଠି ହୋଇ ନୃତ୍ୟ କରନ୍ତି, ଗୀତ ବୋଲନ୍ତି ଏବଂ ନାନା ପ୍ରକାର ମଉଜ ମଜଲିସ କରନ୍ତି । ତା ପରେ ସେମାନେ ଯୁଦ୍ଧ ଅନୁକୂଳ କରନ୍ତି ।

 

ଦଳପତି ଭଲ ପୋଷାକ ପିନ୍ଧି ଆଗେଆଗେ ଚାଲିଥାଏ । ଭୁଲ୍‍ ହେଉ ବା ଠିକ୍‌ ହେଉ, ସେ ଯାହା ହୁକୁମ ଦେବ, ତାହା ମାନିବାକୁ ସମସ୍ତେ ବାଧ୍ୟ; କେହି କେବେହେଲେ ସେ ହୁକୁମର ବିରୋଧ କରିପାରିବ ନାହିଁ ।

 

ଲୁଚି ରହି ଶତ୍ରୁକୁ ମାରିବାକୁ ଜୁଲୁମାନେ ଘୃଣା କରନ୍ତି । ବଣରେ ଶିକାର କଲାବେଳେ ବା ଶତ୍ରୁ ସାଙ୍ଗରେ ଯୁଦ୍ଧ କଲାବେଳେ ସେମାନେ ସାମନା ସାମନି ଠିଆ ହୋଇ ରହନ୍ତି । ଦୁଇ ଜଣ ଏକାଠି ହାତାହାତି ଲଢ଼େଇ କରିବାକୁ ସେମାନେ ବେଶି ପସନ୍ଦ କରନ୍ତି ।

Image

(ଜଲଙ୍କ ଯୁଦ୍ଧଯାତ୍ରା)

 

ଇଂରେଜମାନଙ୍କ ସହିତ ଯେ ଯୁଦ୍ଧ ହେଲା, ସେଥିରେ ଇଂରେଜ ସୈନ୍ୟମାନେ ଲୁଚିରହି ପଛଆଡ଼ୁ ବନ୍ଧୁକ ଚଳାଇଲେ । ତା ଫଳରେ ବହୁ ସଂଖ୍ୟାରେ ଜୁଲୁ ମଲେ । ଶେଷକୁ ବଶ୍ୟତା ସ୍ୱୀକାର କଲେ; ତଥାପି ସେମାନେ ଲୁଚିରହି ଯୁଦ୍ଧ କଲେ ନାହିଁ ।

 

ଗାଁ ଓ ଘର

 

ଆଦିମ ଅଧିବାସୀଙ୍କ ପରି ଜୁଲୁମାନେ ପ୍ରଥମେ ବାରବୁଲା ଜାତି ଥିଲେ । ନିର୍ଦ୍ଦିଷ୍ଟ ଗୋଟାଏ ସ୍ଥାନରେ ସବୁ ଦିନ ଧରାବନ୍ଧା ହୋଇ ନ ରହି, ଏଣେତେଣେ ବୁଲୁଥିଲେ । ନିବିଡ଼ ବଣଭିତରେ ଯେଉଁଠାରେ ଭଲ ଶିକାର ମିଳିବ, ସେହି ସ୍ଥାନକୁ ସେମାନେ ପ୍ରଥମେ ବାଛିନିଅନ୍ତି ।

 

ପୁରୁଣା ସ୍ଥାନ ଛାଡ଼ିବା ପୂର୍ବରୁ ଗୋଟିଏ ଉତ୍ସବ ହୁଏ । ଦଳପତି ନୂଆ ସ୍ଥାନକୁ ଯିବା କଥା ଘୋଷଣା କରେ ଓ ସେଠାରୁ ଘରଦ୍ୱାର ଭାଙ୍ଗି ଦେବାକୁ ହୁକୁମ ଦିଏ । ସେହି ସମୟ ମଧ୍ୟରେ ଲୋକମାନେ ନିଜ ଘର ଭାଙ୍ଗି ସେହି ଉପକରଣ ଓ ଘରର ଆସବାବପତ୍ର ସଜାଡ଼ି ନିଅନ୍ତି । ପର ଦିନ ସବୁ ଜିନିଷପତ୍ର ଧରି ନୂଆ ସ୍ଥାନକୁ ଦଳ ବାନ୍ଧି ଯାଆନ୍ତି । ଯଦି ଅକସ୍ମାତ୍‌ କାହାରି କୌଣସି ଜିନିଷ ରହି ଯାଇଥାଏ, ସେ ଆଉ ଥରେ ଆସି ତାହା ନେବ ନାହିଁ । ପ୍ରଥମଥର ଯାହା ସାଙ୍ଗରେ ନେଇଥିବ, ସେତିକି । ଆଉ ଥରେ ପୁରୁଣା ସ୍ଥାନକୁ ଫେରିଆସିବା ଓ ଛାଡ଼ି ଯାଇଥିବା ଦ୍ରବ୍ୟ ସେଠାରୁ ନେବା ପାପ; ସେଥିରେ ‘ମିକିଆଓ୍ୟା’–ଧନଦେବତା ରାଗନ୍ତି । ସେ ରାଗିଲେ ଦଳମଧ୍ୟରେ ନାନା ଅମଙ୍ଗଳ ଦେଖାଦିଏ ।

 

ଜୁଲୁମାନେ ନୂଆ ସ୍ଥାନରେ ଦିନେ ଦୁଇ ଦିନ ମଧ୍ୟରେ ନିଜ ଘରମାନ ଠିଆ କରିଦିଅନ୍ତି । ଉଚ୍ଚ ଜାଗା ଦେଖି ସେମାନେ ଘର କରନ୍ତି । ସେ ଘରଗୁଡ଼ିକ ଆମ ଦେଶର ଲୋକମାନଙ୍କ କୁଡ଼ିଆ ପରି । ବାଉଁଶ ନୁଆଇଁ ତାର ଦୁଇ ପାଖ ମାଟିରେ ପୋତାଯାଏ । ତା ଉପରେ ଘାସପତର ଛାଆଣି ହୋଇ ବତା ଭିଡ଼ା ଯାଇଥାଏ । ଘରର ଗୋଟିଏ ଦୁଆରମୁହଁ । ତାହା ପୁଣି ଏତେ ସାନ ହୋଇଥାଏ ଯେ, ସେବାଟେ ହାମୁଡ଼େଇ ଯାଆସ କରିବାକୁ ପଡ଼େ । ଗୋଟିଏ ପରିବାରରେ ଯେତେ ଲୋକ ଥାଆନ୍ତି, ସେ ସମସ୍ତଙ୍କ ପାଇଁ ଗୋଟିଏ ଘର ହୁଏ । ସେହି ଘରେ ସେମାନେ ରନ୍ଧାବଢ଼ା କରନ୍ତି, ଜିନିଷପତ୍ର ରଖନ୍ତି, ଖିଆପିଆ କରନ୍ତି ଓ ଶୁଅନ୍ତି ।

Image

(ଜୁଲୁଙ୍କ ଘର)

 

ଘରଭିତର ପରିଷ୍କାର ପରିଚ୍ଛନ୍ନ ଥାଏ; ମାତ୍ର ପବନ ଯିବା ଆସିବାକୁ ବାଟ ନ ଥିବାରୁ ଏବଂ ଘରଭିତରେ ନିଆଁ ଜଳୁଥିବାରୁ ସେଠାରେ ରହିବା ଅନ୍ୟ ଲୋକ ପକ୍ଷରେ ଅସମ୍ଭବ । ଏମାନେ ଘରକୁ ‘ଟୁକ୍‍ଲ’ ବୋଲି କହନ୍ତି ।

 

ଏହିପରି କେତେଗୁଡ଼ିଏ ଘର ମିଶି ଗୋଟିଏ ଗାଁ ହୋଇଥାଏ । ଗ୍ରାମର ପ୍ରତ୍ୟେକ ଘର ସହିତ ସମସ୍ତେ ସମ୍ପୃକ୍ତ । ଜଣକର ଟିକିଏ କିଛି ଅସୁବିଧା ହେଲେ ଗ୍ରାମର ସବୁ ଲୋକେ ତାକୁ ସାହାଯ୍ୟ କରିବାକୁ ଧାଇଁଆସନ୍ତି । ତେଣୁ ଗ୍ରାମ ମଧ୍ୟରେ କଳିଗୋଳ ଦେଖା ନ ଥାଏ । କେହି ଜଣେ ହେଲେ କେବେ ଉପାସ ରହେ ନାହିଁ ।

 

ଗ୍ରାମରେ ଯେଉଁ ସ୍ତ୍ରୀ ଲୋକର ବୟସ ସବୁଠାରୁ ବେଶି, ସେ ଗ୍ରାମର ମୁରବୀ । ଗ୍ରାମର ପିଲାମାନଙ୍କ ଆଗରେ ନିଜ ଜାତିର ଗୌରବ ବଖାଣିବା, ନାନା ପ୍ରକାର କାହାଣୀ କହି ସେମାନଙ୍କୁ ଭୁଲାଇବା, କାହାରିକୁ ରୋଗ ହେଲେ ଓଷଦ ଦେବା, ଗୁଣିଆ ହୋଇ ମନ୍ତ୍ର ଫୁଙ୍କିବା, ମଉଜ ମଜଲିସର ବ୍ୟବସ୍ଥା କରିବା, ପୁରୁଷ ଓ ସ୍ତ୍ରୀ ଲୋକଙ୍କ ମଧ୍ୟରେ କାମ ବାଣ୍ଟିବା–ମୋଟ ଉପରେ ଗ୍ରାମର ସବୁ ଦାୟିତ୍ୱ ତୁଲେଇବା ତା କାମ । ପିଲାଠାରୁ ବୁଢ଼ାଯାଏ ସମସ୍ତେ ତାକୁ ସମ୍ମାନ କରନ୍ତି; ତାହା କଥା ମାନି ଚଳନ୍ତି ।

 

ବେଶ ପୋଷାକ

 

ଆଦିମ ଯୁଗରେ ଜୁଲୁମାନେ ଆଫ୍ରିକାର ଅନ୍ୟାନ୍ୟ ଜାତିର ଲୋକଙ୍କ ପରି ଲଙ୍ଗଳା ରହୁଥିଲେ । ଏବେ ଇଉରୋପର ଲୋକମାନଙ୍କ ସଂସ୍ପର୍ଶରେ ଆସି ଲୁଗା ପିନ୍ଧିଲେଣି ।

 

ପୁରୁଷମାନେ ଖଣ୍ଡିଏ ଅତି ସାନ ଲୁଗା କେବଳ ଅଣ୍ଟାରେ ଗୁଡ଼ାଇ ଦେଇଥାଆନ୍ତି । ଦଳର ନେତା, ପୁରୋହିତ ବା ବୈଦ୍ୟ ଦେହରେ ଜାମା ଲଗାନ୍ତି । କେହି କେହି ଲୁଗାକୁ ପେଟ ଓ ପିଠିରେ ଭିଡ଼ି ବାନ୍ଧି ଦେଇଥାଆନ୍ତି । କେବଳ ପୁରୋହିତମାନେ ମୁଣ୍ଡ ଚାରିପାଖରେ ଖଣ୍ଡିଏ କନା ଗୁଡ଼ାଇ ବାନ୍ଧନ୍ତି । ଏମାନେ ବଣର ନାନାପ୍ରକାର ଲଟା ଓ ଗଛର ଛେଲି ଦଉଡ଼ା ପରି ବଳି ବେକ ଓ କାନ୍ଧରେ ବହୁ ପରିମାଣରେ ଓହଳାଇ ଥାଆନ୍ତି ।

 

ସ୍ତ୍ରୀ ଲୋକମାନେ ଖଣ୍ଡିଏ ବଡ଼ ଲୁଗା ପିନ୍ଧନ୍ତି ଓ ତାକୁ ଦେହରେ ଦୃଢ଼ଭାବରେ ଗୁଡ଼ାଇ ରଖନ୍ତି । କେହିକେହି ଗଛର ଛେଲି ବାଡ଼େଇ ସେଥିରୁ ଝୋଟ ବାହାର କରି ତାକୁ ଦେହରେ ବାନ୍ଧି ଥାଆନ୍ତି । କେହି କେହି ବା ବାଘଛାଲ ପିନ୍ଧନ୍ତି ।

 

ସାଧାରଣ ପୁରୁଷ ଦେହରେ କୌଣସି ଅଳଙ୍କାର ଲଗାଏ ନାହିଁ । କିନ୍ତୁ ଯୁଦ୍ଧକୁ ଯିବାକୁ ହେଲେ ଗୋଡ଼ ଓ ହାତରେ ଦୁଇଟା ବା ତିନିଟା ବଳା ପିନ୍ଧେ । ସ୍ତ୍ରୀଲୋକସାନେ ହାତ, ଗୋଡ଼, ଅଣ୍ଟା ଓ ବେକରେ ନାନା ପ୍ରକାର ଅଳଙ୍କାର ପିନ୍ଧନ୍ତି । ଏହା ଶାମୁକା, ପଶୁର ହାଡ଼ ଓ କଉଡ଼ିରେ ପ୍ରଧାନତଃ ତିଆରି ହୋଇଥାଏ ।

 

ଖାଦ୍ୟ

 

ଜୁଲୁମାନେ ପୂର୍ବ କାଳରେ ବଣଜଙ୍ଗଲରୁ ପଶୁ ମାରି କଞ୍ଚାମାଂସ ଖାଉଥିଲେ । ନଈ ସମୁଦ୍ରର ମାଛ, କଇଁଚ, କଙ୍କଡ଼ା ଓ ପାଣି ତଳେ ଥିବା ଦଳ ସେମାନଙ୍କର ସେତେବଳେ ଅତି ପ୍ରିୟ ଖାଦ୍ୟ ଥିଲା । ଅନ୍ୟାନ୍ୟ ମାଂସ ଅପେକ୍ଷା ଏହା ନରମ; ତେଣୁ ସାଧାରଣତଃ ପିଲାମାନଙ୍କୁ ଏହି ଖାଦ୍ୟ ଦିଆଯାଏ । ବଣରୁ ଗୋଟିଏ କିଛି ବଡ଼ ଜନ୍ତୁ ଶିକାର କଲେ ଗ୍ରାମବାସୀ ସମସ୍ତେ ମିଳିମିଶି ତାହା ଖାଆନ୍ତି । ଜୀଅନ୍ତା ଜନ୍ତୁକୁ ବାନ୍ଧିରଖି ତା ଦେହରୁ ପୁଳାପୁଳା ମାଂସ କାଟି ଖାଇବାକୁ ସେମାନେ ବେଶି ପସନ୍ଦ କରନ୍ତି । ବିବାହ ଉତ୍ସବ ଓ ଅନ୍ୟାନ୍ୟ ପର୍ବ ଦିନମାନଙ୍କରେ ଏହି ଜୀଅନ୍ତା ଜନ୍ତୁର ମାଂସ ଖାଇବା ବିଧି ରହିଛି ।

 

ଆଜିକାଲି କଞ୍ଚାମାଂସ ଖାଇବା ସେମାନେ ପ୍ରାୟ ଛାଡ଼ିଦେଲେଣି । ମାଂସ ସିଝାଇ ବା ପୋଡ଼ି ଖାଆନ୍ତି । ସଭ୍ୟସମାଜ ସହିତ ମିଶି ଚାଷକାମ ଜାଣିଲେଣି । ତେଣୁ ନାନା ପ୍ରକାର ଫସଲ ଉତ୍ପାଦନ କରି ଖାଦ୍ୟ ରୂପେ ବ୍ୟବହାର କରୁଛନ୍ତି । ବଣରେ ଥିବା କଦଳୀ, ପଣସ ଆଦି ଫଳ ଏବଂ ମହୁ ସେମାନଙ୍କର ଅନ୍ୟତମ ଖାଦ୍ୟ ।

 

ଖାଦ୍ୟଦ୍ରବ୍ୟ ସଂଗ୍ରହ କରିବା ଓ ଖାଦ୍ୟ ତିଆରି କରିବା କାମ କେବଳ ସ୍ତ୍ରୀଲୋକମାନଙ୍କର । ସେମାନେ ଦଳ ବାନ୍ଧି ବଣମଧ୍ୟକୁ ଯାଇ ଫଳମୂଳ ଓ ମହୁ ଆଣନ୍ତି । ବିଲରେ ଚାଷକାମ କରନ୍ତି–ଫସଲ ଆମଦାନୀ କରନ୍ତି । ନଈ ଝରଣାରୁ ପାଣି ଆଣନ୍ତି, ଖାଦ୍ୟପଦାର୍ଥ ରାନ୍ଧି ପୁରୁଷମାନଙ୍କୁ ଦିଅନ୍ତି ।

 

ପୁରୁଷମାନେ ବଣବୁଦା କାଟି ସଫା କରନ୍ତି । ବଣରୁ ଶିକାର କରନ୍ତି ଓ ଶତ୍ରୁ ସହିତ ଲଢ଼ିବାକୁ ଯାଆନ୍ତି । ଏ କାମ ନ ଥିଲେ ସେମାନେ ଖାଲି ବସିରହି ନିଜ ମଧ୍ୟରେ ଗପ କରନ୍ତି, ନ ହେଲେ ଶୋଇରହନ୍ତି । ସ୍ତ୍ରୀଲୋକଙ୍କୁ ଘର କାମରେ ସାହାଯ୍ୟ କରିବା ସେମାନେ ଅପମାନକର ବୋଧକରନ୍ତି । ଏପରି କି ଘରର ପିଲା, ନିଜର ପୁଅ ଝିଅଙ୍କୁ ମଧ୍ୟ କୋଳରେ ଧରିବାକୁ ବା ସେମାନଙ୍କ ହାନିଲାଭ ବୁଝିବାକୁ ସେମାନେ ପସନ୍ଦ କରନ୍ତି ନାହିଁ । ସେଥିପାଇଁ ଜଣେଜଣେ ପୁରୁଷ ତିନ ଚାରୋଟି ବା ତାଠାରୁ ବେଶି ବିବାହ ହୁଅନ୍ତି । ଗ୍ରାମର ବା ଦଳର ଯେ ନେତା, ସେ ପଚିଶ ତିରିଶଟି ପର୍ଯ୍ୟନ୍ତ ବିବାହ କରିଥାଏ । ଯେ ଯେତେ ଅଧିକ ସ୍ତ୍ରୀ ରଖିଥାଏ, ସମାଜରେ ତାର ସମ୍ମାନ ସେତେ ବେଶି ।

 

ଘରେ ବେଶି ସ୍ତ୍ରୀଲୋକ ରହିଲେ ବହୁତ କାମ ହେବ, ପୁରୁଷ ସୁଖରେ ରହିବ–ସେଥିପାଇଁ ଏତେ ବିବାହ କରିବାକୁ ସେମାନେ ସୁବିଧାଜନକ ମନେକରନ୍ତି । ପ୍ରତ୍ୟେକ ସ୍ତ୍ରୀ ନିଜର ଖାଦ୍ୟପଦାର୍ଥ ସ୍ୱତନ୍ତ୍ର ଭାବରେ ତିଆରି କରେ ଓ ସ୍ୱାମୀର ଭାଗ ଆଗ ଆଣି ସ୍ୱାମୀକୁ ଦିଏ । ସ୍ୱାମୀର ପୋଷାକ ମଧ୍ୟ ସେ ତିଆରି କରେ । ଯାହାର ଯେତେ ବେଶି ସ୍ତ୍ରୀ ରହିବେ, ତାକୁ ବେଶି ଖାଇବାକୁ ମିଳିବ, ସେତେ ଅଧିକ ପୋଷାକ ମିଳିବ ।

 

ଜୁଲୁ ଦେଶର ରୂପ କଥା

 

ଆମ ଦେଶର ଗାଁଗହଳୀର ବୁଢ଼ାବୁଢ଼ୀମାନେ ଯେପରି ବହୁତ କାହାଣୀ କହନ୍ତି, ଜୁଲୁ ଦେଶରେ ମଧ୍ୟ ସେହିପରି ଅନେକ ରକମର କାହାଣୀ ପ୍ରଚଳିତ ଅଛି । ପଣ୍ଡିତମାନେ କହନ୍ତି, ଏ କାହାଣୀ ସବୁ ହଜାର ହଜାର ବର୍ଷ ହେଲା ସେ ଦେଶରେ ଚଳିଆସୁଛି ।

 

ପ୍ରତିଦିନ ସନ୍ଧ୍ୟାପରେ ଗ୍ରାମର ଗୋଟିଏ ଜାଗାରେ ପିଲା ବୁଢ଼ା, ସ୍ତ୍ରୀ ପୁରୁଷ ସମସ୍ତେ ରୁଣ୍ଡ ହୁଅନ୍ତି । ଗ୍ରାମର ଯେ ସବୁଠାରୁ ବେଶି ବୁଢ଼ୀ, ସେ ଏ ସବୁ କାହାଣୀ କହେ । ଜୁଲୁମାନଙ୍କର ଭାଷା ଲେଖା ହେବାପାଇଁ ଏ ପର୍ଯ୍ୟନ୍ତ କୌଣସି ଅକ୍ଷର ସୃଷ୍ଟି ହୋଇ ନାହିଁ । ତେଣୁ ଏ ସବୁ କାହାଣୀ ତାଙ୍କ ଭାଷାରେ ଛାପା ହୋଇ ନାହିଁ କି ଲେଖାହୋଇ ରହି ନାହିଁ । କେବଳ ଜଣଙ୍କଠାରୁ ଜଣେ ଶୁଣି ଆସୁଛନ୍ତି । ବୁଢ଼ୀର କହିବା ଭଙ୍ଗୀରେ ପୁରୁଣା ଗପସବୁ ନୂଆ ହୋଇଯାଉଛି ।

 

ଇଉରୋପ ଦେଶର ଲୋକମାନେ ତାଙ୍କ ସହିତ ମିଶି ଏ ଗପ ଶୁଣୁଛନ୍ତି, ସେମାନଙ୍କ ଭାଷାରେ ତାହା ପ୍ରକାଶ କରିଛନ୍ତି । ତେଣୁ ଜୁଲୁମାନଙ୍କ ରୂପକଥା ଜୁଲୁ ଦେଶ ଛାଡ଼ି ବାହାରକୁ ଆସିଛି ।

 

ବିଲେଇ ଓ ମୂଷା

 

ବଣଭିତରେ ଗୋଟିଏ ବିଲେଇ ଓ ଗୋଟିଏ ମୂଷା ପିଲାଦିନୁ ଏକାଠି ରହିଆସିଛନ୍ତି । ସାଙ୍ଗ ହୋଇ ବୁଲନ୍ତି, ଖେଳନ୍ତି, ନାଚନ୍ତି । ବଣଯାକ ବୁଲି ଖାଇବାଜିନିଷ ଯୋଗାଡ଼ କରନ୍ତି ।

 

ବିଲେଇ ମୂଷାକୁ ନ ଦେଖିଲେ ଉଚ୍ଛନ୍ନ; ମୂଷା ବିଲେଇକୁ ନ ଦେଖିଲେ ପାଗଳ । ଦୁହିଁଙ୍କ ଭିତରେ ଏତେ ଦୂର ବନ୍ଧୁତା ।

 

ଦିନେ ମୂଷା କହିଲା, ‘‘ଭାଇ’’ ଆଉ ଏ ବଣରେ ରହିବାକୁ ସୁଖ ଲାଗୁ ନାହିଁ । ଏଠାରେ ଖାଇବାଦ୍ରବ୍ୟରେ ସ୍ୱାଦ ନାହିଁ । ସେହି ଗୋଟିଏ ପ୍ରକାର ଗଛ, ଗୋଟିଏ ପ୍ରକାର ମାଟି; ଗୋଟିଏ ଆକାଶ, ପୁଣି ଆକାଶରେ ସେହି ଗୋଟିଏ ସୂର୍ଯ୍ୟ, ଗୋଟିଏ ଜହ୍ନ । ପିଲାଦିନୁ ଏହାକୁ ଦେଖିଦେଖି ବିରକ୍ତ ଲାଗିଲାଣି । ଚାଲ, ସମୁଦ୍ର ଆର ପାଖକୁ ଯିବା, ସେଠାରେ ସବୁ ନୂଆ, ସବୁ ସୁନ୍ଦର ସବୁ ଭଲ ।

 

ବିଲେଇ ମୂଷା କଥାରେ ରାଜି ହୋଇଗଲା ।

 

ଆର ପାଖକୁ ଯିବେ କିପରି ? ସମୁଦ୍ରରେ ଅକାତକାତ ପାଣି ।

 

ଶେଷକୁ ବୁଦ୍ଧି ଦେଖାଗଲା । ଗୋଟାଏ ତାଳଗଛ ଉପୁଡ଼ି ପଡ଼ିଥିଲା । ମୂଷା ସେ ଗଛ ମଝିରେ ଥିବା ଶସତକ ଦାନ୍ତରେ ଖୋଳି ବାହାର କରିଦେଲା; ଗଛଟା ହୋଇଗଲା ଫମ୍ପା ।

 

ବିଲେଇ ଓ ମୂଷା ସେ ଗଛକୁ ଟାଣିଟାଣି ଆଣି ସମୁଦ୍ରରେ ପକାଇଲେ । ତା ଭିତରେ ଦୁହେଁଯାକ ମଉଜରେ; ବସିରହିଲେ ।

 

ଉପରେ ପବନ, ତଳେ ପାଣିର ଲହଡ଼ୀ । ମୂଷା ଓ ବିଲେଇଙ୍କ ନାଆ ଭାସିଭାସି ଚାଲିଲା । ଦିନେ ଗଲା, ଦୁଇ ଦିନ ଗଲା, । ମୂଷା ବିଲେଇ ଭାରି ଖୁସି–ନୂଆ ଦେଶକୁ ଯିବେ, ନୂଆ କଥା ଦେଖିବେ, ନୂଆ ଦ୍ରବ୍ୟ ଖାଇବେ । ସେଠାର ମାଟି ନୂଆ, ଗଛପତ୍ର ନୂଆ ସୂର୍ଯ୍ୟ ଚନ୍ଦ୍ର ବି ନୂଆ-

 

ଦୁଇ ଦିନ ପରେ, ଭାବନା ପଡ଼ିଗଲା । ଦୁହେଁଯାକ ଖାଇବେ କଅଣ ! ଡଙ୍ଗାରେ ବସିଲାବେଳେ ସେ କଥା ତ ଭୁଲି ଯାଇଥିଲେ । ସମୁଦ୍ର ମଝିରେ ଖାଇବାଦ୍ରବ୍ୟ କିଛି ନାହିଁ; ଖାଲି ପାଣି–ପୁଣି ଲୁଣିଆ ପାଣି ।

 

ଦୁହିଁଙ୍କୁ ଭୋକ ଲାଗିଲା; ଭୋକରେ ଛଟପଟ ହେଲେ ।

 

ବିଲେଇ ତା ବସିବା ସ୍ଥାନରେ ଘୁମେଇପଡ଼ିଲା । ଭୋକ ହେଲେ ନିଦ ଲାଗେ । ବିଲେଇ ଗାଢ଼ ନିଦରେ ଶୋଇପଡ଼ିଲା ।

 

ମୂଷାକୁ ମଧ୍ୟ ଖୁବ୍‌ ଭୋକ । ସେ ବସିବସି ବହୁ ଚିନ୍ତା କଲା । ଶେଷକୁ ଭାବିଲା; ମୁଁ ମୂର୍ଖ-। ତାଳଗଛ ପେଟରେ ଆହୁରି କେତେ ଶସ ଅଛି । ତାକୁ ଖାଇଲେ ମୋ ପେଟ ପୂରିଯିବ । ମିଛଟାରେ ମୁଁ ଭୋକଉପାସରେ ରହି ଛଟପଟ ହେଉଛି ସିନା !

 

କୁଟୁର୍‍, କୁଟୁର୍‌, କୁଟ୍‌–ମୂଷା ଚୁପ୍‌ ଚୁପ୍‌ ଗଛ ଦେହରୁ ଶସ କାଢ଼ି ଖାଇଲା । ମୁନିଆଁ ଦାନ୍ତ ତ, ଥରକେ ବହୁତ ବହୁତ ଶସ ଖୋଳିହୋଇ ଆସିଲା ।

 

କୁଟ୍‌କୁଟ୍‌ ଶବ୍ଦ ଶୁଣି ବିଲେଇର ନିଦ ଭାଙ୍ଗିଗଲା । ସେ ଭାବିଲା, ଏ କି ଶବ୍ଦ ?

 

ଆଖି ଫିଟାଇ ଚାହିଁଲା । ମାତ୍ର ମୂଷା ତ ଖୁବ୍‌ ଚାଲାକ୍‍ । ବିଲେଇ ମୁଣ୍ଡ ଟେକିବାର ଦେଖି ସେ ତା ବସିବା ଜାଗାରେ ଆଖି ବୁଜି ଶୋଇପଡ଼ିଲା । ସତେ ଯେମିତି ଖୁବ୍‌ ନିଦ ଲାଗିଯାଇଛି ।

 

ବିଲେଇ ଭାବିଲା, କାହିଁ ଶବ୍ଦ ତ ଆଉ କିଛି ଶୁଭୁ ନାହିଁ । ବୋଧହୁଏ ମୁଁ ନିଦରେ ସ୍ୱପ୍ନ ଦେଖୁଥିଲି । ସେ ପୁଣି ଆଖି ବୁଜି ଶୋଇପଡ଼ିଲା ।

 

ବିଲେଇ ଶୋଇବାର ଦେଖି ମୂଷା ଶଶ କାଟି ଖାଇଲା । ପୁଣି କୁଟ୍‍କୁଟ୍‌ ଶବ୍ଦ ।

 

ଆଉ ଥରେ ବିଲେଇର ନିଦ ଭାଙ୍ଗିଗଲା । ସେ ପୁଣି ମୁଣ୍ଡ ଟେକି ଚାହିଁଲା । ଏଥରକ ଦେଖିଲା, ମୂଷା ଖାଲି ଶୋଇ ନାହିଁ; ଗାଢ଼ନିଦରେ ଘୁଙ୍ଗୁଡ଼ି ଛାଡ଼ୁଛି–ଘଁ–ଘଁ ।

 

ବିଲେଇ ମନକୁ ମନ କହିଲା, ନା ଖାଲି ମୁଁ ସ୍ୱପ୍ନ ଦେଖୁଛି; ସ୍ୱପ୍ନରେ ଏଭଳି ଶବ୍ଦ ଶୁଣୁଛି-। ସେ ପେଟ ମାଡ଼ି ଆଖି ବୁଜି ଶୋଇ ପଡ଼ିଲା । ଆଉ ଯେତେ ସ୍ୱପ୍ନ ଦେଖିଲେ ବି ଉଠିଲା ନାହିଁ ।

 

ଏଣେ ମୂଷା ଆନନ୍ଦରେ ଶସ କାଟି ଖାଇବାକୁ ଲାଗିଲା । ଖାଉଖାଉ ସେଠାରେ ଗୋଟାଏ କଣା ହୋଇଗଲା । ସମୁଦ୍ରରୁ ପାଣି ଆସି ଗଛର ଢୋଲଭିତରେ ପଶିଲା ।

 

କ୍ରମେ ପାଣି ବଢ଼ି ଏତେ ହେଲା ଯେ, ବିଲେଇ ଦେହ ବୁଡ଼ିଗଲା । ସେ ଆଖି ଫିଟାଇ ଚାହିଁଲା । ଦେଖିଲା ମୂଷା ପାଖରେ ଗଛରେ ଗୋଟାଏ କଣା; ସେହି କଣା ବାଟେ ପାଣି ପଶୁଛି । ନାଆ ବର୍ତ୍ତମାନ ବୁଡ଼ିଯିବ ।

 

ବିଲେଇ ଖୁବ୍ ରାଗିଗଲା । କହିଲା, ‘‘ସମୁଦ୍ର ମଝିରେ ମୋତେ ବୁଡ଼ାଇ ମାରିବାକୁ ଆଣିଛୁ ? ତୋତେ ଆଗ ମାରିବି, ତା ପରେ ମୋ ଦଶା ଯାହା ହେବାର ହେବ ।’’

 

ଏହା କହି ସେ ମୂଷା ଉପରକୁ କୁଦିପଡ଼ିଲା ।

 

ମୂଷା କହିଲା; ‘‘ସମୁଦ୍ରଭିତରେ ଯୁଦ୍ଧ କର ନାହିଁ । ଏଠାରେ ଆମେ ଦୁହେଁ ଯୁଦ୍ଧ କଲେ, ଡଙ୍ଗା ବୁଡ଼ିଯିବ । ଦୁହେଁ ଯାକ ମରିବା । କୂଳରେ ଲାଗିଲେ, ତୁମେ ମୋତେ ମାରିବ । ମୁଁ ପଛକେ ମରେ; ତୁମେ ତ ବଞ୍ଚିରହିବ ।’’

 

ବିଲେଇ ମନକୁ ଏକଥା ପାଇଗଲା । ସେ ପାଣିଭିତରେ ବୁଡ଼ି ଚୁପ୍‌ ହୋଇ ବସିରହିଲା-। କୂଳ ଆଉ ଅଳ୍ପ ବାଟ ଥିଲା । ପବନ ଜୋରରେ ଭାସି ଭାସି ଡଙ୍ଗା ଆସି କୂଳରେ ଲାଗିଲା । ବିଲେଇ ଓ ମୂଷା ଖପ୍‌ ଖାପ୍‌ ମାଟିଉପରକୁ ଡେଇଁପଡ଼ିଲେ । ଡଙ୍ଗାଟି ଟୁବ୍ କରି ବୁଡ଼ିଗଲା ।

 

ବିଲେଇ ମୂଷାର ବାଟ ଓଗାଳିଲା । କହିଲା, ‘‘ତୋତେ ମାରି ଖାଇଲେ ମୋ ଭୋକ ରହିବ ।’’

 

ମୂଷା କହିଲା, ‘‘ମାରିବ ତ, ଟିକିଏ ସମ୍ଭାଳିଯାଅ । ପାଣିରେ ଓଦା ହୋଇ ମୋ ଦେହ ଫୁଲିଉଠିଛି । ରୁମଭିତରେ ପାଣି ଜମିଛି । ଖରାରେ ଦେହ ଟିକିଏ ଶୁଖିଯାଉ । ସେତେବେଳେ ଖାଇଲେ ତୁମର କିଛି ଅସୁବିଧା ହେବ ନାହିଁ । ବର୍ତ୍ତମାନ ଖାଇଲେ ଲୁଣିଆ ଲାଗିବ, ତୁମ ପେଟ ଖରାପ ହେବ ।’’

 

ବିଲେଇ ଭାବିଲା, ସତ କଥା । ମୋ ଦେହଟା ବି ପାଣିରେ ଜୁଡ଼ୁ ବୁଡ଼ୁ । ଖରା ତେଜରେ ତାହା ଶୁଖିଯାଉ । ତା ପରେ ମନ ଆନନ୍ଦରେ କିଛି ସମୟ ବସି ମୂଷା ଦେହରେ ମାଂସ ଟିକିଟିକି କାଟି ଖାଇବି ।

 

ଦୁହେଁଯାକ ସେଠାରେ ବସିରହିଲେ ।

 

ମୂଷା ତା ବସିବା ସ୍ଥାନରେ ଚୁପ୍‌ ଚୁପ୍‌ ମାଟି ଖୋଳୁଥାଏ ।

 

ମୂଷା ଦେହରେ ଅଳ୍ପ ରୁମ–ତାହା ଚଞ୍ଚଳ ଶୁଖିଗଲା । ବିଲେଇ ଦେହରେ ତ ବଡ଼ବଡ଼ ରୁମ, ତାହା ପୁଣି ଅତି ବହଳ, ଶୁଖିବାକୁ ବହୁତ ସମୟ ଲାଗିଲା ।

 

ସେହି ସମୟ ଭିତରେ ମୂଷା ତା ବସିବା ସ୍ଥାନରେ ଗୋଟାଏ ବଡ଼ ଗାତ ଖୋଳି ପକାଇଥିଲା ।

 

ବିଲେଇ ଝାଡ଼ିଝୁଡ଼ି ହୋଇ ଠିଆ ହେଲା । ଦେହ ଶୁଖି ଗଲାଣି । ଏଥରକ ମୂଷାକୁ ଖାଇବ ।

 

ସେ ମୂଷା ପାଖକୁ କୁଦିପଡ଼ିଲା । ମାତ୍ର ମୂଷା କାହିଁ ? ସେ ଯେ ମାଟିଭିତରେ କେଉଁଠି ପଶିଗଲାଣି ।

 

ଗାତ ମୁହଁ ଅତି ସରୁ । ବିଲେଇ ତା ଭିତରେ ପଶିବ କିପରି ?

 

ସେହି ଦିନୁ ବିଲେଇର ମୂଷା ଉପରେ ଭାରି ରାଗ । ତାକୁ ମାରି ଖାଇବ ବୋଲି ସବୁବେଳେ ଗାତ ପାଖରେ ଛକି ବସିଥାଏ ।

 

Image

(ହଟେନଟଟ୍‌ସ)

 

ହଟେନଟଟ୍‌ସ

 

ଦକ୍ଷିଣ ଆଫ୍ରିକାରେ ହଟେନଟଟ୍‌ସ ନାମକ ଆଉ ଏକ ଜାତିର ଲୋକ ବାସ କରନ୍ତି । ସେମାନେ କଥା କହିଲାବେଳେ ପ୍ରତ୍ୟେକ କଥାରେ ଏକ ପ୍ରକାର ଅଦ୍ଭୁତ ଶବ୍ଦ କରନ୍ତି । ତାହା ଅନ୍ୟକୁ ହଟ୍‌ନ୍‌ ହଟ୍‌ନ୍‌ ବୋଲି ଶୁଣାଯାଏ । ସେହି କାରଣରୁ ଇଉରୋପରୁ ପ୍ରଥମେ ସେ ଅଞ୍ଚଳକୁ ଯାଇଥିବା ଲୋକେ ସେମାନଙ୍କ ନାମ ‘ହଟେନଟଟ୍‌ସ’ ଦେଇଅଛନ୍ତି । ସେମାନଙ୍କ ଭାଷାରେ ସେମାନଙ୍କ ନାମ ‘‘ଖୋଇ ଖୋଇନ୍‌’’–ଆମ ଭାଷାରେ ତାହାର ଅର୍ଥ ହେବ ‘ମନୁଷ୍ୟ ଭଳି ମନୁଷ୍ୟ’-

 

ଏହି ହଟେନଟଟ୍‌ସମାନେ ନିଗ୍ରୋଜାତିର ବଂଶଧର । ମାତ୍ର ଜଳବାୟୁ ପ୍ରଭାବରୁ ସେମାନଙ୍କ ଦେହର ରଙ୍ଗ ନିଗ୍ରୋଙ୍କ ପରି ଗାଢ଼ କୃଷ୍ଣବର୍ଣ୍ଣ ନୁହେଁ । ହଳଦିଆ ସହିତ ଅଳ୍ପ କଳାରଙ୍ଗ ମିଶିଲେ ଯେପରି ଦିଶିବ, ସେମାନଙ୍କ ଦେହର ବର୍ଣ୍ଣ ସେହିପରି ।

 

ହଟେନଟଟ୍‌ସମାନଙ୍କ ମୁହଁର ଆକୃତି ତ୍ରିଭୁଜ ପରି, ମୁଣ୍ଡପାଖ ଚଉଡ଼ା ଓ ଓଠ ସରୁ । ଦୁଇପାଖ ଗାଲର ହାଡ଼ ଉଚ୍ଚ ହୋଇ ଉପରକୁ ଉଠିଯାଇଥାଏ । ଆଖି ବେଶି ଚଉଡ଼ା ଓ ଗାଢ଼ କଳା-। ନାକ ଓ ଓଠ ଦୁଇଟି ଅତି ମୋଟା । ମୁଣ୍ଡର ବାଳ ଘନ ଓ କୁଞ୍ଚୁକୁଞ୍ଚିଆ; ତାହା ବେଶି ବଡ଼ ହୁଏ ନାହିଁ । ପୁରୁଷମାନଙ୍କ ମୁହଁରେ କ୍ୱଚିତ୍‌ ଦାଢ଼ି ନିଶ ଉଠିଥାଏ । ଅନେକ ସମୟରେ କେବଳ ମୁହଁ ଦେଖି କିଏ ପୁରୁଷଲୋକ, କିଏ ସ୍ତ୍ରୀଲୋକ ତାହା ହଠାତ୍‌ ଜାଣି ହୁଏ ନାହିଁ ।

Image

(ଶିକାରୀ ଯୁବକ)

ସାଧାରଣତଃ ଏହି ହଟେନଟଟ୍‌ସ ଜାତିର ପୁରୁଷମାନେ ସ୍ତ୍ରୀଲୋକଙ୍କ ଅପେକ୍ଷା ଗେଡ଼ା ହୁଅନ୍ତି । ଅନ୍ୟ ସବୁ ଜାତିରେ ପ୍ରାୟ ସ୍ତ୍ରୀ ଲୋକାମାନେ ପୁରୁଷମାନଙ୍କ ଅଧୀନରେ ଥାଆନ୍ତି; ମାତ୍ର ହଟେନଟଟ୍‌ସ ଜାତିରେ ପୁରୁଷମାନେ ସ୍ତ୍ରୀ ଲୋକମାନଙ୍କ ଅଧୀନ । ସ୍ତ୍ରୀମାନେହିଁ ମାଲିକ, ସର୍ବେସର୍ବା । ପୁରୁଷମାନଙ୍କୁ ନିଜର ଇଚ୍ଛା ମୁତାବକ ନାନାପ୍ରକାର ଆଦେଶ ଦେଇ କାମରେ ଲଗାନ୍ତି-

ଏ ଜାତିର ଲେକେ ବଳିଷ୍ଠ; କିନ୍ତୁ କର୍ମଠ ନୁହନ୍ତି । ଅଧିକାଂଶ ସମୟ ବସି ଗଳ୍ପ କରିବାକୁ ବା ଶୋଇରହିବାକୁ ସୁଖ ପାଆନ୍ତି । ପୁରୁଷମାନଙ୍କ ଭିତରୁ କେହିକେହି ଏକାଦିକ୍ରମେ ପଚାଶ ଷାଠିଏ ଘଣ୍ଟା ଯାଏ ଶୋଇ ରହିଥିବାର ଦେଖାଯାଏ ।

 

ପୋଷାକ

 

ଆଫ୍ରିକାର ଅନ୍ୟାନ୍ୟ ଆଦିବାସୀମାନଙ୍କ ପରି ପୂର୍ବ କାଳରେ ହଟେନଟଟ୍‌ସମାନେ ସମ୍ପୂର୍ଣ୍ଣ ଲଙ୍ଗଳା ହୋଇ ବୁଲୁଥିଲେ । ପ୍ରାୟ ଅଢ଼େଇଶହ ବର୍ଷ ହେଲା ସେମାନେ ପୋଷାକ ପିନ୍ଧିବା ଆରମ୍ଭ କରିଛନ୍ତି ।

 

ପ୍ରଥମେ ଏମାନେ କେବଳ ଅଣ୍ଟା ଚାରିପାଖରେ ପୁଳାଏ ପତର ବାନ୍ଧିବା ଶିଖିଲେ । ସେହି ପତର ପୋଷାକରେ କିଛି ଦିନ କଟିଗଲା ପରେ ଚମଡ଼ାର ପୋଷକ ତିଆରି କଲେ । ସେ ପୋଷାକ କେବଳ ଅଣ୍ଟାଠାରୁ ଚାଖଣ୍ଡେ ଯାଏ ତଳକୁ ଓହଳିଥାଏ । ଦେହର ଅନ୍ୟାନ୍ୟ ଅଙ୍ଗ ସବୁ ସମୟରେ ଖୋଲା ରହିଥାଏ ।

 

ଏବେ ମଧ୍ୟ ବଣରେ ସ୍ଥାନେସ୍ଥାନେ ଅଣ୍ଟାରେ ପତର ବାନ୍ଧି ବୁଲୁଥିବା ଲୋକ ବହୁତ ଦେଖାଯାଆନ୍ତି ।

 

ଆଉ କେତେକ ଗଛର ଛେଲି କୁଟି ଝୋଟ ଭଳି ଜିନିଷ ତିଆରି କରନ୍ତି । ସେଥିରୁ ପୁଳାଏ ବେକପାଖରେ ବାନ୍ଧିଦିଅନ୍ତି । ତାହା ଜଙ୍ଘ ପର୍ଯ୍ୟନ୍ତ ଓହଳିଥାଏ । ଦୁଇଗୋଡ଼ରେ ମଧ୍ୟ ଏଥିରୁ ପୁଳାଏ ପୁଳାଏ ବାନ୍ଧନ୍ତି ।

 

ସେମାନଙ୍କ ମୁଣ୍ଡର ଟୋପି ଅଦ୍ଭୁତ ପ୍ରକାରର । ଗୁଡ଼ିଏ ଗଛର ଡାଳ ମୁଣ୍ଡଉପରେ ବାନ୍ଧିରଖନ୍ତି । ବୋଧହୁଏ ତାହା ସେମାନଙ୍କ ମୁଣ୍ଡକୁ ଖରା ଉତ୍ତାପରୁ ରକ୍ଷା କରେ । ଦୂରରୁ ଦେଖିଲେ ଠିକ୍‌ ଗୋଟିଏ ବୁଦାଗଛର କୁଣ୍ଡ ସେମାନେ ମୁଣ୍ଡରେ ମୁଣ୍ଡାଇଥିଲା ପରି ଜଣାଯାଏ ।

 

ଆଜିକାଲି ସେମାନଙ୍କ ଚମଡ଼ା ପୋଷାକର ଉନ୍ନତି ହେଲାଣି । ଏ ପୋଷାକ ଏ ଭଳି ଭାବରେ ତିଆରି ହୋଇଥାଏ ଯେ, ତାହା କାନ୍ଧରୁ ପାଦ ପର୍ଯ୍ୟନ୍ତ ଲମ୍ବିଥାଏ । ସେମାନେ ଏଇ ଗୋଟିଏ ପୋଷାକରେ ଦଶ ପନ୍ଦର ବର୍ଷ ଚଳନ୍ତି । କେବେହେଲେ ଏହାକୁ ଦେହରୁ କାଢ଼ିଦେବାକୁ ପଡ଼େ ନାହିଁ । ଦିନଯାକ ପିନ୍ଧିଥାଆନ୍ତି, ରାତିରେ ମଧ୍ୟ ଏହାକୁ ପିନ୍ଧି ଶୁଅନ୍ତି । ମରିଗଲେ ସେହି ପୋଷାକ ସହ ମୁର୍ଦ୍ଦାରକୁ ମାଟିତଳେ ପୋତି ଦିଆଯାଏ ।

 

ଏହି ପୋଷାକର ଲୋମ ଥିବା ପାଖ ଶୀତଦିନେ ଭିତରକୁ ଦେହକୁ ଲାଗି ରହିଥାଏ । ଖରାଦିନ ହେଲେ ତାହାକୁ ଓଲଟାଇ ପିନ୍ଧନ୍ତି । ତା ଫଳରେ ଲୋମ ପଦାକୁ ରହେ; ତେଣୁ ସେମାନଙ୍କୁ ବେଶି ଗରମ ବାଧେ ନାହିଁ ।

 

ସ୍ତ୍ରୀ ଓ ପୁରୁଷ ଉଭୟଙ୍କ ପୋଷାକ ଏକାପରି । ସ୍ତ୍ରୀ ଲୋକଙ୍କ ପୋଷାକ ଦେହରେ କେବଳ ଚମଡ଼ାର ଗୋଟିଏ ଟୋପି ଲାଗିଥାଏ ଓ ଦୁଇ ତିନିଟା ପକେଟ୍‍ ଥାଏ । ଅନେକ ସମୟରେ ସେମାନେ ଟୋପିଟିକୁ ମୁଣ୍ଡରେ ଲଗାନ୍ତି । ପକେଟରେ ଦରକାରୀ ଜିନଷ ସାଇତି ରଖିଦିଅନ୍ତି ।

 

ସ୍ତ୍ରୀଲୋକମାନେ ତମ୍ବାଟିଆ ରଙ୍ଗର ଏକ ପ୍ରକାର ମାଟି ମୁଣ୍ଡ ବାଳରେ ବୋଳି ମୁଣ୍ଡ ସଜାନ୍ତି । ଆଜିକାଲି ଅନେକ ସ୍ତ୍ରୀଲୋକ ଲୁଗା ପିନ୍ଧିଲେଣି ।

 

କଞ୍ଚା ଦୁଧ ବା ପଶୁ ଦେହର ଚର୍ବିରେ ସେମାନେ ଗୋଟିଏ ପ୍ରକାର ମଲମ ତିଆରି କରି ତାକୁ ମୁହଁରେ ବୋଳନ୍ତି । ତଦ୍ଦ୍ୱାରା ମୁହଁ ଚିକ୍‌କଣ ରହେ ଓ ସଫା ଦେଖାଯାଏ । ହାତୀଦାନ୍ତ ବା ପଶୁ ହାଡ଼ର ମୁଦି, ହାର ଆଦି ସେମାନଙ୍କର ଭୁଷଣ ।

 

ପୁରୁଷମାନେ ଯେଉଁ ବାଡ଼ି ଧରନ୍ତି, ତା ମୁଣ୍ଡରେ ବିଲୁଆଲାଞ୍ଜ କାଟି ବାନ୍ଧିଦେଇ ଥାଆନ୍ତି-। ଏଥିରେ ମୁହଁରୁ ଝାଳ ପୋଛନ୍ତି, ଗରମ ହେଲେ ବିଞ୍ଚି ହୁଅନ୍ତି । ତେଣୁ ଏହା ରୁମାଲ ଓ ପଙ୍ଖାର କାମ ଦେଇଥାଏ ।

 

ଚାଲିଚଳନ

 

ହଟେନଟଟ୍‌ସମାନେ ବଡ଼ ସ୍ୱାଧୀନତାପ୍ରିୟ । କୌଣସି ପ୍ରକାର ସାମାଜିକ ଆଇନ କାନୁନରେ ବନ୍ଧା ହୋଇ ଚଳିବା ସେମାନଙ୍କ ସ୍ୱଭାବ ନୁହେଁ ।

 

ଆଗେ ତ ସେମାନଙ୍କର ଅନ୍ୟ କାହାରି ସହିତ କିଛି ସମ୍ପର୍କ ରହୁ ନ ଥିଲା; ଯେ ଯାହାର ଏକୁଟିଆ ବଣଭିତରେ ମନ ଇଚ୍ଛା ବୁଲୁଥିଲେ । ଯେତେବେଳେ ମନ ହେଉଥିଲା, ଖାଉଥିଲେ । ପାହାଡ଼ ଗୁମ୍ଫା ବା ଗଛ କୋରଡ଼ ଦେଖି ଶୋଇ ପଡ଼ୁଥିଲେ ।

 

ତେଣୁ ପ୍ରଥମେ ସେମାନଙ୍କର କୌଣସି ସମାଜ ନ ଥିଲା । ଜଣେ ଅନ୍ୟକୁ ଚିହ୍ନିବା ବା ଜାଣିବା କିଛି ଦରକାର ପଡ଼ୁ ନ ଥିଲା ।

 

କ୍ରମେ ସେମାନେ ଦଳବଦ୍ଧ ହେଲେ । ପ୍ରଥମେ ଦୁଇ ତିନି ଜଣ ଏକାଠି ରହୁରହୁ ତିରିଶ ଚାଳିଶ ଜଣ ଏକତ୍ର ରହିଲେ । ଏକାକୀ ବଣବୁଲା ଅଭ୍ୟାସ କମିଗଲା ।

 

ଏଇଥିରୁ ସେମାନଙ୍କର ପରିବାର ଜୀବନ ଆରମ୍ଭ ହେଲା । ପରିବାରରେ ସ୍ତ୍ରୀଲୋକ ସର୍ବେସର୍ବା ହେଲେ, ପୁରୁଷମାନଙ୍କୁ ପାଖରେ ରଖି ନିଜ କାମରେ ଖଟାଇଲେ ।

 

ଦଳ ବାନ୍ଧି ରହିବାରୁ ପଶୁ ପାଳିବା ପ୍ରବୃତ୍ତି ବଢ଼ିଲା । ଗାଈ, ଛେଳି, ମେଣ୍ଢା, କୁକୁର, ବିଲୁଆ, ଚିତାବାଘ ପିଲାଟିଦିନୁ ଧରି ଆଣି ପୋଷିଲେ ।

 

ସେମାନଙ୍କର ଘରର ସମ୍ପତ୍ତି ଏହି ପଶୁମାନେ । ଦିନର ଅଧିକାଂଶ ସମୟ ସେମାନଙ୍କ ସେବାରେ କଟିଥାଏ । ଗାଈଗୁଡ଼ିକ ସେମାନଙ୍କର ସବୁଠାରୁ ଅତି ପ୍ରିୟ । ପୁରୁଷମାନେ ସେମାନଙ୍କ ସ୍ତ୍ରୀ ଅପେକ୍ଷା ଗାଈକୁ ବେଶି ମୂଲ୍ୟବାନ୍‍ ମନେ କରନ୍ତି । ଏପରିକି ସ୍ତ୍ରୀ ଲୋକମାନେ ଗାଈକୁ ଛୁଇଁବା ମନା ।

 

ଆଗରୁ ଏମାନଙ୍କର କୌଣସି ଦଳ ବା ସମାଜ ନ ଥିବାରୁ ପର୍ବପର୍ବାଣି ବା ସାମାଜିକ ଉତ୍ସବ ଏମାନଙ୍କ ମଧ୍ୟରେ ଖୁବ୍‌ କମ୍‌ । ଅନ୍ୟାନ୍ୟ ଜାତିରେ ବର୍ଷର ବହୁତ ସମୟ ଯେଭଳି ଆନନ୍ଦ ଉତ୍ସବ ବା ନାଚ ଲାଗି ରହିଥାଏ, ହଟେନଟଟ୍‌ସମାନଙ୍କର ଆଗେ ସେ ସବୁ କିଛି ନ ଥିଲା । ଅନ୍ୟମାନଙ୍କ ଦେଖାଦେଖି ଏବେ କିଛି କିଛି ଉତ୍ସବ ଆରମ୍ଭ ହୋଇଛି ।

 

ହଟେନଟଟ୍‌ସମାନେ ଦିଲଖୁସ୍‌ ଲୋକ । ଅଭାବ କଅଣ ସେମାନେ ଜାଣନ୍ତି ନାହିଁ । ବଣରୁ ଯାହା ମିଳିଲା, ତାହା ଖାଦ୍ୟ । ପିନ୍ଧିବାରେ ବାହୁଲ୍ୟ ତ କିଛି ନାହିଁ । କାଲିକୁ କଅଣ କରିବାକୁ ହେବ, ଏ ଚିନ୍ତା ବି ନାହିଁ । କୌଣସି ପ୍ରକାର ଅଭାବବୋଧ ନ ଥିବାରୁ କାମ କରିବା ଦରକାର ପଡ଼େ ନାହିଁ; ତେଣୁ ସେମାନେ କେବଳ ଅଳସ ଜୀବନ କଟାନ୍ତି ।

 

ହଟେନଟଟ୍‌ସମାନେ ନିଜନିଜ ପଶୁକୁ ଅତି ଯତ୍ନରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି । ତେଣୁ ପଶୁମାନଙ୍କ ପାଇଁ ପ୍ରଚୁର ଖାଦ୍ୟ ଥିବା ସ୍ଥାନ ଖୋଜି ସେଠାକୁ ଉଠିଯାଆନ୍ତି ।

 

ଗୋଷ୍ଠୀ ବାନ୍ଧି ରହିଲା ପରେ ସେମାନଙ୍କ ସମାଜରେ ନାନା ପ୍ରକାର ଉତ୍ସବର ସୃଷ୍ଟି ହୋଇଛି । ବିବାହ, ପିଲାଜନ୍ମ, ମୃତ୍ୟୁ, ଅନ୍ୟ ସ୍ଥାନକୁ ଉଠିଯିବା ଆଦି ଦିନମାନଙ୍କରେ ଏ ଉତ୍ସବ ହୋଇଥାଏ । ଏଥିରେ ଦଳର ସବୁ ସ୍ତ୍ରୀ ପୁରୁଷ, ବାଳକ ବାଳିକା ଯୋଗ ଦେଇଥାଆନ୍ତି ।

 

ଆଗେ ସେମାନଙ୍କ ମଧ୍ୟରେ ବିବାହ ଉତ୍ସବ ବୋଲି କିଛି ନ ଥିଲା । ଆଜିକାଲି ସେ ଅବସ୍ଥା ବଦଳିଛି । ସାଧାରଣତଃ ବିବାହ ମା’ମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ । କନ୍ୟାର ମାତା ପ୍ରଥମେ ଝିଅକୁ ଛାଡ଼ିବ ନାହିଁ ବୋଲି ଛଳନା କରେ । ବରମାତା ବାରମ୍ବାର ତା ଘରକୁ ନାନା ପ୍ରକାର ଉପହାର ଧରି ଯାଏ । ମେଣ୍ଢା, ଛେଳି, କୁକୁର–ଏହି ସବୁ ପଶୁ ଉପହାର ରୂପେ ଦିଆଯାଏ-। ବିବାହ କଥା ନିଷ୍ପତ୍ତି ହେଲେ ବରମାତା କନ୍ୟାମାତାକୁ ଗୋଟିଏ ଗାଈ ଦିଏ, ତା ବଦଳରେ କନ୍ୟାକୁ ନିଜ ଘରକୁ ଆଣି ପୁଅ ସହିତ ବିବାହ କରାଇଦିଏ ।

 

କେହି ମରିଗଲେ ଲୋକମାନେ ଗୋଟିଏ ଚମଡ଼ା ପୋଷାକ ଭିତରେ ତାକୁ ପୂରାଇ ଚାରିଆଡ଼ ଭଲରୂପେ ସିଲାଇ କରିଦିଅନ୍ତି । ତା ଚାରିକଡ଼ରେ ଘେରି ବସି ସମସ୍ତେ କାନ୍ଦନ୍ତି । ପରଦିନ ରାତି ଅଧ ପର୍ଯ୍ୟନ୍ତ ଏହିପରି କାନ୍ଦିବା ଚାଲେ । ରାତି ଅଧରେ ଚମଡ଼ା ଖୋଳ ସହ ମୃତଦେହକୁ ନେଇ ବହୁଦୂରରେ ପୋତି ଦେଇ ଆସନ୍ତି ।

 

ଗାଁ ଓ ଘର

 

ହଟେନଟଟ୍‌ସମାନେ ବାରବୁଲା ଜାତି । ସେମାନେ କୌଣସି ସ୍ଥାନରେ ବେଶି ଦିନ ଥୟ ହୋଇ ରହିପାରନ୍ତି ନାହିଁ ।

 

ବିଶେଷତଃ ଗାଈ, ଗୋରୁ, ମଇଁଷି, ଛେଳି, ମେଣ୍ଢା, ଘୋଡ଼ା ଆଦି ଗୃହପାଳିତ ପଶୁ ସେମାନଙ୍କର ଏକମାତ୍ର ସମ୍ବଳ । ତେଣୁ ଯେଉଁ ସ୍ଥାନରେ ବେଶି ଘାସଜମି ଥାଏ, ପାଣି ମିଳେ, ସେଠାରେ ସେମାନେ ଘର କରି ରହନ୍ତି । ଘାସ ସରିଗଲେ ଅନ୍ୟସ୍ଥାନକୁ ଚାଲି ଯାଆନ୍ତି ।

 

ବାଉଁଶ ବା କାଠର ଯନ୍ତା ଉପରେ ପଶୁ ରୋମ ଛାଆଣି କରି ସେମାନେ ଘର ତିଆରି କରିଥାଆନ୍ତି । କେହିକେହି ଚମଡ଼ା ପରିବର୍ତ୍ତରେ ତାଳପତ୍ର ଚଟେଇ ବୁଣି ସେ ଯନ୍ତା ଉପରେ ବାନ୍ଧିଦିଅନ୍ତି । ଏହି ଘରର ତଳି ଗୋଲ ଓ ଏହା ଅଳ୍ପ ଉଚ୍ଚ ହୁଏ । ଏତେ କମ୍‍ ଉଚ୍ଚ ଯେ, ତା ଭିତରେ ସେମାନେ ଠିଆହୋଇପାରନ୍ତି ନାହିଁ । ଏପରି ସାନ ଘର ହୋଇଥିବାରୁ ସେମାନେ ତାହା ଅକ୍ଳେଶରେ ଭାଙ୍ଗି ଅନ୍ୟ ସ୍ଥାନକୁ ଘେନିଯାଆନ୍ତି ଏବଂ ସେଠାରେ ଅତି ଅଳ୍ପ ସମୟ ମଧ୍ୟରେ ପୁଣି ନୂଆ ଘର ତିଆରି କରିନିଅନ୍ତି । କେହି କେହି ସେ ଘର ନ ଭାଙ୍ଗି ସେହିପରି ଟେକି ନେଇଯାଆନ୍ତି ।

 

ଘର ମଝିରେ ଗୋଟିଏ ଗାତ ଖୋଳାହୋଇ ସେଥିରେ ସବୁ ସମୟରେ ନିଆଁ ରହିଥାଏ-। ଘରର ଚାରିକଡ଼ରେ ସେମାନଙ୍କ ଆସବାବପତ୍ର ରହେ । ମଝିରେ ଦୁଇ ତିନିଜଣ କେବଳ ଶୁଆବସା କରନ୍ତି ।

Image

ଘରଭିତରକୁ ଯିବାପାଇଁ ଗୋଟିଏ ଛୋଟିଆ ଦୁଆରମୁହଁ ରହିଥାଏ । ଝରକା କି ଅନ୍ୟ ଖୋଲାବାଟ ଆଉ କିଛି ନ ଥାଏ । ତେଣୁ ଘରଭିତରକୁ ପବନ ଯାଆସ କରିପାରେ ନାହିଁ । ଘରେ ସବୁ ସମୟରେ ଏତେ ଧୂଆଁ ଖେଳି ବୁଲୁଥାଏ ଯେ, ଆମେ ସେଠାରେ ମୁହୂର୍ତ୍ତେ ହେଲେ ଚଳିପାରିବା ନାହିଁ ।

 

ଦଶ ପନ୍ଦରଟି ପରିବାର, ଖୁବ୍‌ ବେଶି ହେଲେ ତିରିଶ ପର୍ଯ୍ୟନ୍ତ ପରିବାର ଗୋଟିଏ ଦଳରେ ଥାଆନ୍ତି । ସେହି ଦଳଟି ଯେଉଁ ସମୟରେ ଯେଉଁଠାରେ ରହନ୍ତି, ସେ ସେମାନଙ୍କର ଗ୍ରାମ ହୁଏ । ନିବିଡ଼ ଜଙ୍ଗଲ ମଧ୍ୟରେ ପନ୍ଦର କୋଡ଼ିଏଟି ପିଞ୍ଜରାଭଳି ଛୋଟ କୁଡ଼ିଆଘର ଓ କେତେଗୁଡ଼ିଏ ପୋଷାଜନ୍ତୁଙ୍କୁ ଦେଖିଲେ ମଧ୍ୟ ଏହାକୁ ଗୋଟିଏ ଗ୍ରାମ ବୋଲି କେହି ବିଶ୍ୱାସ କରିବେ ନାହଁ ।

 

ଦଳପତି ଓ ଶାସନ

 

ହଟେନଟଟ୍‌ସମାନେ ଦଳ ବାନ୍ଧି ରହିଲାପରେ, ଯେ ସେମାନଙ୍କ ମଧ୍ୟରେ ବଳୁଆ ଓ ବୟସ୍କ, ତାକୁ ଦଳପତି ବାଛିଲେ । ଏହି ଦଳପତି ସେମାନଙ୍କ ଭାଷାରେ ‘‘ଖୁ-ଖୋଇ’’ କୁହାଯାଏ–ଏହାର ଅର୍ଥ ପ୍ରଧାନ ଲୋକ । ଘରର ପ୍ରଧାନ ବ୍ୟକ୍ତି କେବଳ ସ୍ତ୍ରୀ ଲୋକ । ମାତ୍ର ଖୁ-ଖୋଇ ପୁରୁଷ ଓ ସ୍ତ୍ରୀ ଯେ କେହି ହୋଇପାରେ । ଖୁ-ଖୋଇର ଆଦେଶ ଅମାନ୍ୟ କରିବା ଶକ୍ତି କାହାରି ନ ଥାଏ । ହଟେନଟଟ୍‌ସମାନେ ବଣରେ ଯେ କୌଣସି ଶିକାର କଲେ ମଧ୍ୟ ସେଥିରୁ ଗୋଟାଏ ଅଂଶ ଆଣି ଖୁ-ଖୋଇକୁ ଦିଅନ୍ତି; ତାହା ହିଁ ତାଙ୍କର ରାଜକର ।

 

ଦଳ ମଧ୍ୟରେ କେହି କୌଣସି ଦୋଷ କଲେ, ଅତି କଡ଼ା ଦଣ୍ଡ ପାଇଥାଏ । କେହି ଦଳର ଜଣେ ଲୋକକୁ ମାରିଦେଲେ, ତାକୁ ପିଟିପିଟି ବା ଢେଲା ଫିଙ୍ଗି ମାରିପକାଇବାର ନିୟମ । କିନ୍ତୁ ସେ ଯଦି କୌଣସିମତେ ଦଳରୁ ଲୁଚି ପଳାଇଯାଏ ଏବଂ ବର୍ଷେ ପର୍ଯ୍ୟନ୍ତ ଗୋପନରେ ରହିପାରେ, ତେବେ ତା ପରେ ତାକୁ ଆଉ କୌଣସି ଦଣ୍ଡ ମିଳେ ନାହିଁ ।

 

କେହି ଚୋରି କଲେ, ତାହାର ହାତଗୋଡ଼ ବାନ୍ଧି ଉପବାସରେ ରଖିଦିଆଯାଏ । ଚୋରୀର ଗୁରୁତ୍ୱ ଅନୁସାରେ ଏହି ଦଣ୍ଡ ସାତ ଦିନରୁ ପନ୍ଦର ଦିନ ପର୍ଯ୍ୟନ୍ତ ରହେ ।

 

ଏଭଳି ଦଣ୍ଡ ଖୁବ୍‌ କମ୍‌ ଲୋକଙ୍କୁ କ୍ୱଚିତ୍‌ ମିଳିଥାଏ । କାରଣ ସେମାନଙ୍କ ସମାଜରେ କେହି ଚୋରି କରନ୍ତି ନାହିଁ । ଯେ ଯାହା ରୋଜଗାର କରେ, ସେଥିରେ ଚଳେ ।

 

ଯଦି ଦୁଇ ଜଣଙ୍କ ମଧ୍ୟରେ କଳି ଲାଗେ, ତେବେ ଜଣେ ମୁଠାଏ ବାଲି ଧରି ଅନ୍ୟ ସହିତ ଲଢ଼ିବାକୁ ଯାଏ । ପ୍ରତିପକ୍ଷ ତା ହାତରୁ ବାଲି ଛଡ଼ାଇ ତଳେ ବୁଣିଦେଇପାରିଲେ ଦୁହିଁଙ୍କ ମଧ୍ୟରେ କୁସ୍ତି ହୁଏ । ମୁଥ ଓ ବିଧା ମରାମରିରେ ଉଭୟେ ଉଭୟଙ୍କୁ ପରାସ୍ତ କରିବାକୁ ଚେଷ୍ଟା କରନ୍ତି । ଯେ ହାରିଯାଏ, ସେ ଦୋଷୀ ବୋଲି ସାବସ୍ତ୍ୟ ହୁଏ ।

 

ଖାଦ୍ୟ

 

ହଟେନଟଟ୍‌ସମାନେ ଅତି ପେଟୁ । ସେମାନେ ଖାଇବାକୁ ପାଇଲେ, ଏତେ ବେଶି ଖାଇଯାଆନ୍ତି ଯେ, ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଉଠି ଚାଲବୁଲ କରିପାରନ୍ତି ନାହିଁ ।

 

ପଶୁମାଂସ, ବିଶେଷତଃ ମଇଁଷି ମାଂସ ସେମାନଙ୍କର ଅତି ପ୍ରିୟଖାଦ୍ୟ । ଅନ୍ୟ ଯେ କୌଣସି ପଶୁ ମିଳିଲେ ସେମାନେ ତାହାର ମାଂସ ଖାଆନ୍ତି । ଶିକାର ନ ମିଳିଲେ ବଣର ଫଳମୂଳ ଖାଇ ବଞ୍ଚନ୍ତି । ପଶୁର ତାଜା ରକ୍ତ, ଦୁଧ ଓ ମହୁ ପିଇ ଶୋଷ ମାରନ୍ତି । ସ୍ତ୍ରୀ ଲୋକମାନେ ରକ୍ତ ପିଇବା ମନା । ତେଣୁ ଅଧିକାଂଶ ସମୟରେ ସେମାନେ ଦୁଧ ହିଁ ପିଅନ୍ତି । ଗାଈ, ମଇଁଷି ବା ଗଧ ଦୁହାଁ ହେବା ସଙ୍ଗେ ସଙ୍ଗେ ସେମାନେ ତାହା ଆଣି ପିଇଥାଆନ୍ତି । ତାହାକୁ ସିଝାଇବା ବା ସେଥିରୁ ଦହି, ଛେନା ଆଦି କରିବା କଥା ସେମାନେ ଜାଣନ୍ତି ନାହିଁ । ମାଛ ମଧ୍ୟ ସେମାନଙ୍କର ଖାଦ୍ୟ ମଧ୍ୟରୁ ଅନ୍ୟତମ ।

 

ଗୋଟିଏ ହାତୀ, ଗଣ୍ଡା ବା ଏହିପରି କିଛି ବଡ଼ ଜନ୍ତୁ ମାଇଲେ ସେମାନେ ସମସ୍ତେ ସେହିଠାକୁ ନିଜ ଘରମାନ ଉଠାଇନିଅନ୍ତି । ସେ ପଶୁ ଦେହରୁ ମାଂସ ନ ସରିବାଯାଏ; ସେମାନେ ସେ ସ୍ଥାନରୁ ଆଉ ଉଠନ୍ତି ନାହିଁ ।

 

ଧନୁଶର ଓ ବର୍ଚ୍ଛା ମାରି ସେମାନେ ଶିକାର କରନ୍ତି । ଏହି ଧନୁଶର ଓ ବର୍ଚ୍ଛା ସେମାନଙ୍କର ପ୍ରଧାନ ସମ୍ପତ୍ତି । ଆତ୍ମରକ୍ଷା ପାଇଁ ଚମଡ଼ାର ଢାଲ ରଖିଥାଆନ୍ତି । ପଶୁ ଦେହରୁ ମାଂସ କାଟିବା ପାଇଁ ଛୋଟ ଛୋଟ ଛୁରୀ ସମସ୍ତେ ପାଖରେ ରଖନ୍ତି । ଏ ଛୁରୀ ସେହିମାନେ ହିଁ ତିଆରି କରିଥାଆନ୍ତି ।

 

କଇଁଚ ପିଠି ଖୋଳ ସେମାନଙ୍କର ଦୁଧ ବା ପାଣି ରଖିବା ପାତ୍ରର କାମ ଦିଏ । ମାଟିର ହାଣ୍ଡି ଓ କାଠରେ ତିଆରି ପାତ୍ର ସେମାନଙ୍କର ଘରର ସମ୍ବଳ । ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲାବେଳେ ବଡ଼ବଡ଼ ବାଉଁଶର ନଳୀରେ ପାଣି ବା ଦୁଧ ପୂରାଇ ନେଇଥାଆନ୍ତି । ଅନ୍ୟ ସ୍ଥାନରେ ଘର ନ କରିବା ପର୍ଯ୍ୟନ୍ତ ସେହି ପାଣି ବା ଦୁଧ ପିଅନ୍ତି ।

 

ଆଗେ ହଟେନଟଟ୍‌ସମାନେ କଞ୍ଚାମାଂସ ଖାଉଥିଲେ; ମାତ୍ର ଏବେ ତାହା ନିଆଁରେ ସାମାନ୍ୟ ସେକିନେଇ ବା ପାଣି ଦେଇ ସିଝାଇ ଖାଆନ୍ତି । ସେଥିରେ ଲୁଣ କିମ୍ବା କୌଣସି ପ୍ରକାର ମସଲା ଦେବା ଦରକାର ହୁଏ ନାହିଁ ।

 

ପୁରୁଷମାନେ ସବୁ ସମୟରେ ପିକା ଟାଣୁଥାଆନ୍ତି ।

 

ଧର୍ମବିଶ୍ୱାସ

 

ହଟେନଟଟ୍‌ସମାନଙ୍କ ବିଶ୍ୱାସ ‘ଟିକ୍‌ଗୁଆ’ ନାମକ ଜଣେ ଦେବତା ଏ ସଂସାର ତିଆରି କରିଅଛି ଓ ସଂସାରକୁ ଚଳାଉଅଛି । ତାହାର ବହୁତ ଅନୁଚର ଭୂତପ୍ରେତ ଅଛନ୍ତି । ଟିକ୍‌ଗୁଆ କଥା ଅନୁସାରେ ସେମାନେ ଲୋକଙ୍କର ଭଳମନ୍ଦ କରାଇଥାଆନ୍ତି ।

 

‘ଗାଉନ’ ହେଉଛି ସବୁଠାରୁ ବେଶି ମନ୍ଦପ୍ରକୃତିର ଭୂତ । ସେ ସବୁବେଳେ ଲୋକଙ୍କର କ୍ଷତି କରେ । ତାକୁ ସନ୍ତୁଷ୍ଟ କରିବା ପାଇଁ ହଟେନଟଟ୍‌ସମାନେ ପ୍ରତି ମାସରେ ଆଠ ଦିନ ଯାଏ ନୃତ୍ୟ କରନ୍ତି ଓ ନାନାପ୍ରକାର ଉତ୍ସବ କରନ୍ତି ।

 

ଏମାନେ ନୃତ୍ୟ କଲାବେଳେ ମୁଣ୍ଡରେ ଗୁଡ଼ାଏ ଗଛର ଡାଳ ବାନ୍ଧିଥାଆନ୍ତି । ଅଣ୍ଟାରେ ପତ୍ର ଗୁଡ଼ାଇଥାଆନ୍ତି । ବର୍ଚ୍ଛା ଓ ଢାଲ ଧରି ବୀରବେଶରେ ନୃତ୍ୟ କରନ୍ତି ।

 

ଏମାନେ ବଡ଼ ଅତିଥିପରାୟଣ । ଅନ୍ୟ ଦଳର ଏପରିକି ଅନ୍ୟ ଦେଶର କେହି ଲୋକ ଆସିଲେ, ତାକୁ ଆଦର କରି ଘରେ ରଖନ୍ତି । ନିଜେ ନ ଖାଇ ତାକୁ ଖାଇବାକୁ ଦିଅନ୍ତି । ସେ ମାଂସ ଆଦି ଖାଇବାକୁ ରାଜି ନ ହେଲେ କେବଳ ଦୁଧ ଦେଇଥାଆନ୍ତି ।

Image

 

ହଟେନଟଟ୍‌ସଙ୍କ ରୂପକଥା

-୧-

 

ବିଲୁଆ ମନରେ ବଡ଼ କଷ୍ଟ । ତା ସ୍ତ୍ରୀର ଅସୁଖ । ସେ ଆଉ ଶୋଇବା ଜାଗାରୁ ଉଠିପାରୁ ନାହିଁ, କିଛି କାମ କରୁନାହିଁ, ରାନ୍ଧି ବାଢ଼ି ତାକୁ ଖାଇବାକୁ ଦେଉନାହିଁ । ବିଲୁଆ ଆଉ କେତେ ଦିନ ଭୋକଉପାସରେ ରହିବ ?

 

ଶେଷକୁ ବିଲୁଆ ନେଉଳବୈଦ୍ୟ ପାଖକୁ ଗଲା । ତାକୁ କହିଲା, ‘‘ମୋ ସ୍ତ୍ରୀ ବେମାରରେ ପଡ଼ିଛି ଗୋଟାଏ କଡ଼ା ଔଷଧ ତିଆରି କରିଦିଅ, ସେ ଭଲ ହୋଇଯାଉ ।’’

 

ନେଉଳବୈଦ୍ୟ କହିଲା, ‘‘ମୁଁ ଔଷଧ ତିଆରି କରିଦେବି ସତ; ମାତ୍ର ସେଥିପାଇଁ କିଛି ହାଡ଼ଗୁଣ୍ଡ ଦରକାର । ସେ ହାଡ଼ଗୁଣ୍ଡ ପୁଣି ଡାଆଣୀବୁଢ଼ୀ ତିଆରି କରିଥିବ ।’’

 

ବିଲୁଆ ସେଠାରୁ ଡାଆଣୀବୁଢ଼ୀ ପାଖକୁ ଗଲା । ତାକୁ କହିଲା, ‘‘ମୋତେ କିଛି ହାଡ଼ଗୁଣ୍ଡ ଦିଅ । ତାହା ହେଲେ ନେଉଳବୈଦ୍ୟ ଔଷଧ ତିଆରି କରିବ, ସେ ଔଷଧ ଖାଇ ମୋ ସ୍ତ୍ରୀର ବେମାର ଭଲ ହେବ ।’’

 

ଡାଆଣୀବୁଢ଼ୀ କହିଲା, ‘‘ମୁଁ ହାଡ଼ଗୁଣ୍ଡ ଦେବି କୁଆଡ଼ୁ ? ପୁନିଅଁ ରାତିରେ ଗୋଟିଏ ମାଙ୍କଡ଼ ମାରିଆଣି ମୋତେ ଦିଅ, ତେବେ ଯାଇ ତା ହାଡ଼ରେ ଗୁଣ୍ଡ ତିଆରି ହେବ ।’’

 

ବିଲୁଆ ଏଥରକ ଶିକାରୀ ପାଖକୁ ଗଲା । ତାକୁ କହିଲା, ‘‘ପୁନିଅଁ ରାତିରେ ଗୋଟିଏ ମାଙ୍କଡ଼ ମାରି ମୋତେ ଦିଅ । ଡାଆଣୀବୁଢ଼ୀ ସେ ମାଙ୍କଡ଼ ହାଡ଼କୁ ଗୁଣ୍ଡ କରି ଦେବ, ସେ ଗୁଣ୍ଡରେ ନେଉଳବୈଦ୍ୟ ଔଷଧ ତିଆରି କରିବ । ସେ ଔଷଧ ଖାଇଲେ ମୋ ସ୍ତ୍ରୀ ରୋଗରୁ ଉଠିବ ।’’

 

ଶିକାରୀ କହିଲା, ‘‘ଗଛରେ କଦଳୀ ପାଚିଲେ ସିନା ମାଙ୍କଡ଼ ଆସିବେ; ମୁଁ ତାଙ୍କୁ ମାରିବି-। ତା ନ ହେଲେ ମାଙ୍କଡ଼ ମାରିବି କିପରି ?’’

 

ବିଲୁଆ ବଣଯାକ ଖୋଜିଖୋଜି ଗୋଟିଏ କଦଳୀଗଛ ପାଇଲା । ସେଥିରେ କଦଳୀ ଫଳିଛି; କିନ୍ତୁ ତାହା ପାଚି ନାହିଁ । ସେ କଦଳୀଗଛକୁ କହିଲା, ‘‘କଳଦୀଗଛ, ତୋ ଫଳକୁ ଶୀଘ୍ର ପଚାଇ ଦେ । ତା ହେଲେ ତାକୁ ଖାଇବାକୁ ମାଙ୍କଡ଼ ଆସିବ । ମାଙ୍କଡ଼ ଆସିଲେ ଶିକାରୀ ତାକୁ ମାରିବ । ତା ହାଡ଼ ନେଲେ ଡାଆଣୀବୁଢ଼ୀ ଗୁଣ୍ଡ କରିଦେବ । ସେ ଗୁଣ୍ଡରେ ନେଉଳବୈଦ୍ୟ ଔଷଧ ତିଆରି କରିବ, ସେ ଔଷଧ ଖାଇଲେ ମୋ ସ୍ତ୍ରୀର ରୋଗ ଭଲହେବ । ସ୍ତ୍ରୀ ଭଲ ହେଲେ ଉଠି ମୋତେ ଖାଇବାକୁ ଦେବ ।’’

 

କଦଳୀଗଛ କହିଲା, ‘‘ଫଳ ପଚେଇବା କଅଣ ମୋ ହାତରେ ଅଛି ? ସୂର୍ଯ୍ୟ କିରଣ ଟାଣ ହୋଇ ତା ଉପରେ ପଡ଼ିଲେ ସିନା ସେ ପାଚିବ ।’’

 

ବିଲୁଆ ସୂର୍ଯ୍ୟ ପାଖକୁ ଗଲା । ସୂର୍ଯ୍ୟଦେବତା ସାକ୍ଷାତରେ ଭଗବାନ । ସେ ତାଙ୍କୁ ପ୍ରାର୍ଥନା କରି କହିଲା, ‘‘ତୁମେ ଟିକିଏ ଖରା ଟାଣ କରିଦିଅ । ତା ହେଲେ କଦଳୀ ପାଚିବ, କଦଳୀ ପାଚିଲେ ମାଙ୍କଡ଼ ତାକୁ ଖାଇବାକୁ ଆସିବ । ମାଙ୍କଡ଼ ଆସିଲେ ଶିକାରୀ ତାକୁ ମାରିବ । ସେ ମଲାମାଙ୍କଡ଼ ହାଡ଼ ନେଲେ ଡାହାଣୀବୁଢ଼ୀ ଗୁଣ୍ଡ କରିଦେବ । ସେ ହାଡ଼ଗୁଣ୍ଡ ପାଇଲେ ନେଉଳବୈଦ୍ୟ ଔଷଧ ତିଆରି କରିବ । ସେ ଔଷଧ ଖାଇଲେ ମୋ ସ୍ତ୍ରୀର ରୋଗ ଭଲ ହେବ । ତା ରୋଗ ଭଲହେଲେ ସେ ମୋତେ ଖାଇବାକୁ ଦେବ ।’’

 

ସୂର୍ଯ୍ୟଦେବତା ବିଲୁଆ ଗୁହାରୀ ଶୁଣିଲେ । ସେ ନିଜ ଖରାକୁ ଟାଣ କରିଦେଲେ । ଖରା ଟାଣ ହେବାରୁ କଦଳୀ ପାଚିଲା । ପାଚିଲା କଦଳୀ ଖାଇବାକୁ ମାଙ୍କଡ଼ ଆସିଲା । ଶିକାରୀ ଆସି ମାଙ୍କଡ଼ ମାଇଲା । ସେ ମାଙ୍କଡ଼ ହାଡ଼କୁ ଡାଆଣୀବୁଢ଼ୀ ଗୁଣ୍ଡ କରିଦେଲା । ନେଉଳବୈଦ୍ୟ ସେ ଗୁଣ୍ଡରେ ଔଷଧ ତିଆରିକଲା । ବିଲୁଆ ସେ ଔଷଧ ଧରି ସ୍ତ୍ରୀ ପାଖକୁ ଆସିଲା ।

 

ଆସି ଦେଖିଲା, ସୂର୍ଯ୍ୟଦେବତାଙ୍କ ଅନୁଗ୍ରହରୁ ତା ସ୍ତ୍ରୀ ବହୁ ଦିନୁ ଭଲ ହୋଇଗଲାଣି । ସେ ଆଉ ଶୋଇ ରହୁ ନାହିଁ । ବଣରୁ ଖାଇବାଦ୍ରବ୍ୟ ସଂଗ୍ରହକରି ଆଣି ରନ୍ଧା ରନ୍ଧିକରି ଚାହିଁ ବସିଛି-। ବିଲୁଆ ଯିବା ସଙ୍ଗେ ସଙ୍ଗେ ତା ପାଇଁ ଖାଇବାକୁ ବାଢ଼ିଦେଲା ।

 

ବିଲୁଆ ଭାବିଲା, ମୁଁ ଏତେ ଜଣଙ୍କ ପାଖକୁ ଯାଇ ଅକାରଣ ହଇରାଣ ହେଲି । କେବଳ ସୂର୍ଯ୍ୟଦେବତା ପାଖକୁ ଯାଇଥିଲେ, ବହୁଦିନୁ ମୋ ସ୍ତ୍ରୀ ଭଲ ହୋଇଯାଇଥାଆନ୍ତା; ମୋତେ ଏତେ ଆଉ ଘୂରାଘୂରି କରିବାକୁ ପଡ଼ି ନ ଥାନ୍ତା ।

 

-୨-

 

ସେ ବର୍ଷ ବଣରେ ଘାସ ହେଲା ନାହିଁ । ପଶୁଗୁଡ଼ିକ କିଛି ଖାଇବାକୁ ନ ପାଇ ଶୁଖିଗଲେ-। ସେମାନେ ଆଉ ଦୁଧ ଦେଲେ ନାହିଁ । ତେଣୁ ସମସ୍ତେ ଛଟପଟ ହେଲେ ।

 

ଖୁ-ଖୋଇ କହିଲା, ‘‘ଚାଲ, ଅନ୍ୟ ବଣକୁ ଯିବା ।’’

 

ସମସ୍ତେ ଅନ୍ୟ ବଣକୁ ଗଲେ । ସେଠାରେ ମଧ୍ୟ ଘାସ ନାହିଁ । କଅଣ କରିବେ ?

 

ଖୁ-ଖୋଇ ଟିକ୍‌ଗୁଆଙ୍କୁ ପ୍ରାର୍ଥନା କଲା । ସେ କହିଲେ, ‘‘ଗାଉନ୍‌ ତୁମ ଉପରେ ରାଗିଛି । ତେଣୁ ବର୍ଷା ହେଉ ନାହିଁ । ବର୍ଷା ନ ହେବାରୁ ଘାସ ଜନ୍ମୁ ନାହିଁ । ତୁମେ ମେଘ ଦେବତାଙ୍କୁ ପୂଜା କର ।’’

 

ସମସ୍ତେ ମିଳିମିଶି ମେଘଦେବତାଙ୍କୁ ପୂଜା କଲେ, ବହୁତ ନାଚିଲେ, ନାଚି ନାଚି ଖୁ-ଖୋଇ ତଳେ ପଡ଼ିଗଲା । ତା ପରେ ସେ ମରିଗଲା ।

 

ହଟେନଟଟ୍‌ସମାନେ ତାକୁ ଘେରି ବସି ବହୁତ କାନ୍ଦିଲେ । ମେଘଦେବତା ତାଙ୍କ ବିକଳ କାନ୍ଦ ଆଉ ସହିପାରିଲେ ନାହିଁ । ସେ ଶୂନ୍ୟରେ ରହି କହିଲେ, ‘‘ତୁମେ ବଣଭିତରୁ ଗଛ ସବୁ ପୋଡ଼ିପକାଉଛ, ଗଛର ଡାଳ ଭାଙ୍ଗିଦେଉଛ, ଗଛ ଗଣ୍ଡିରୁ ଛେଲି ବାହାର କରି ନେଉଛ । ତେଣୁ ଗଛ ମରିଯାଉଛି । ଗଛ ମରିଗଲେ ମୁଁ ପାଣି ବର୍ଷିବି ନାହିଁ ।’’

 

ସେହି ଦିନୁ ହଟେନଟଟ୍‌ସମାନେ ଆଉ ଗଛ ନଷ୍ଟ କଲେ ନାହିଁ । ଯେଉଁଠାରେ ଘର କରି ରହିଲେ, ସେଠାରେ ଗଛର ଯତ୍ନ ନେଲେ; ନୂଆ ଗଛ ଲଗାଇଲେ । ଆଉ ମାଟିରେ ଜାଗା ନ ପାଇବାରୁ ନିଜ ମୁଣ୍ଡରେ ଗଛଡାଳ ବାନ୍ଧି ବୁଲିଲେ । ବଣଯାକ ଗଛ ହୋଇଗଲା ।

 

ତା ପରେ ମେଘ ଦେବତା ବର୍ଷା କଲେ । ପାଣି ପାଇ ଘାସ ଦୁବ କଅଁଳିଲା । ଛେଳି ମେଣ୍ଢା ପ୍ରଭୃତି ପଶୁ ତାକୁ ଖାଇ ବଳୁଆ ହେଲେ । ବେଶି ଦୁଧ ଦେଲେ । ତାଙ୍କ ଦେହରେ ବେଶି ମାଂସ, ବେଶି ରକ୍ତ ହେଲା । ତାକୁ ସମସ୍ତେ ଖାଇ ଆନନ୍ଦରେ ଚଳିଲେ ।

Image